ବିନା ଡ୍ରାଇଭରରେ ରାସ୍ତାରେ ଗଡ଼ୁଛି କାର,ଭୋପାଳ ଇଂଜିନିୟରଙ୍କ ଚମତ୍କାର
1 min read
ଭୋପାଳ : ଭୋପାଳର ରାସ୍ତାଘାଟରେ ଏବେ ଏକ ଅଦ୍ଭୁତ ଗାଡ଼ି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବୋଲେରୋ ଭଳି ଦେଖାଯାଉଥିବା ଏହି ଗାଡ଼ି ସମ୍ପୂର୍ଣ୍ଣ ସ୍ୱୟଂଚାଳିତ, ଯାହାକୁ ଚଲାଇବା ପାଇଁ କୌଣସି ଡ୍ରାଇଭରର ଆବଶ୍ୟକତା ନାହିଁ । ଏହାକୁ ଭୋପାଳର ଇଞ୍ଜିନିୟର ସଞ୍ଜୀବ ଶର୍ମା ତିଆରି କରିଛନ୍ତି, ଯିଏ ଆଇଆଇଟି ରୁଡ଼କୀରୁ ପଢ଼ିଛନ୍ତି। ସଞ୍ଜୀବ ଏହି ଗାଡ଼ି ତିଆରି କରିବା ପାଇଁ ଆଠ ବର୍ଷ ସମୟ ଲଗାଇଛନ୍ତି। ଗତ ବର୍ଷ ଏହାର ସଫଳ ପରୀକ୍ଷଣ କରାଯାଥିଲା ।
ରାଜଧାନୀରେ ଏବେ ମଧ୍ୟ ଏହି ଗାଡ଼ି ଡ୍ରାଇଭର ବିନା ନିଜେ ନିଜେ ରାସ୍ତା ଗଡ଼ୁଛି। ବିଶେଷ କଥା ହେଉଛି ଯେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ସଞ୍ଜୀବ ଶର୍ମାଙ୍କ ଏହି ଡ୍ରାଇଭରବିହୀନ ଗାଡ଼ି ଆଗାମୀ ବର୍ଷ ସୁଦ୍ଧା ବଜାରରେ ଆସିପାରେ। ସଞ୍ଜୀବ ଶର୍ମା ନିଜର ଷ୍ଟାର୍ଟଅପ ମାଧ୍ୟମରେ ଏହି ଗାଡ଼ିକୁ ଆନ୍ତର୍ଜାତୀୟ ବଜାରକୁ ନେବାର ପ୍ରସ୍ତୁତି କରୁଛନ୍ତି। ଜଣାଯାଇଛି ଯେ ଏହି ଗାଡ଼ି କୃତ୍ରିମ ବୁଦ୍ଧିମତା (AI) ସାହାଯ୍ୟରେ ନିୟନ୍ତ୍ରିତ ହୁଏ। ଏହାର ସର୍ବାଧିକ ଗତି ୬୦ କିଲୋମିଟର ପ୍ରତି ଘଣ୍ଟା।
ସବୁଠାରୁ ଖାସ କଥା ହେଉଛି ଯେ ଏହି ଗାଡ଼ି ସାମ୍ନାରୁ ଆସୁଥିବା ଗାଡ଼ି ଓ ମଣିଷଙ୍କୁ ଆଗୁଆ ଦେଖି ନିଜେ ରାସ୍ତା ବଦଳାଇ ଦିଏ। ରୋବୋଟିକ ପ୍ରଯୁକ୍ତିର ସାହାଯ୍ୟରେ ଏହି ଗାଡ଼ି ସାମ୍ନାରୁ ଆସୁଥିବା ଗାଡ଼ିଙ୍କୁ ରାସ୍ତା ମଧ୍ୟ ଦେଇଥାଏ। ଏହା ପଥଚାରୀଙ୍କ ପ୍ରତି ମଧ୍ୟ ଧ୍ୟାନ ରଖେ। ଦୀର୍ଘ ଦୂରତାର ଯାତ୍ରାରେ ଏହି ଗାଡ଼ି ଅତ୍ୟନ୍ତ ଉପଯୋଗୀ ହୋଇପାରେ। ଏହାକୁ ଥରେ ଆରମ୍ଭ କରିଦେଲେ ମାନବୀୟ ହସ୍ତକ୍ଷେପର ଆବଶ୍ୟକତା ନାହିଁ। ସଞ୍ଜୀବଙ୍କ କହିବା ଅନୁସାରେ, ସେ ଏହାକୁ ଭାରତୀୟ ରାସ୍ତାଘାଟର ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଡିଜାଇନ କରିଛନ୍ତି।
ଏହି ଭାରତୀୟ ଗାଡ଼ି ଟାର୍ଜନ ଫିଲ୍ମର ଆଶ୍ଚର୍ଯ୍ୟଜନକ ଗାଡ଼ିଠାରୁ କମ ନୁହେ। ଏହାର ବିଶେଷତ୍ୱ ହେତୁ ଏହି ଗାଡ଼ି ଭୋପାଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଲୋକମାନେ ଏହାକୁ ଦେଖିବା ପାଇଁ ଖାସ କରି ଆସୁଛନ୍ତି। ସଞ୍ଜୀବ ଶର୍ମା ଏବେ ଏହାକୁ ଲଞ୍ଚ କରିବାକୁ ମନସ୍ଥ କରିଛନ୍ତି, ଯାହା ଦ୍ୱାରା ଏହି ପ୍ରଯୁକ୍ତି ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବ। ଭାରତର ପ୍ରତ୍ୟେକ ଅଞ୍ଚଳରେ ଏହା ଉପଯୋଗୀ ହେବ।