ଏଫଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ; ତଦନ୍ତ ଆଳରେ ଘଟଣାକୁ ଚାପିଦେବାକୁ ଉଦ୍ୟମ

ଭୁବନେଶ୍ବର: ବାଲେଶ୍ବର ଏଫଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ଚାପିଦେବାକୁ ଉଦ୍ୟମ ହେଉଛି । ତଦନ୍ତ ଆଳରେ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଉଦ୍ୟମ କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ଏପରି ପ୍ରଶ୍ନ ଉଠାଇଛି ବିଜେଡି । ଶନିବାର ଦିନ ଆତ୍ମାହୁତି ଦେବା ପୂର୍ବରୁ ଝିଅଟିକୁ ନିଲମ୍ବିତ କଲେଜ୍‌ ଅଧ୍ୟକ୍ଷ ତାଙ୍କ ରୁମକୁ ଡାକିଥିଲେ । ଝିଅଟିକୁ ଧମକ ଦେଇ କହିଲେ ଇଣ୍ଟରନାଲ କମିଟି ଆଗରେ କରାଯାଇଥିବା ଅଭିଯୋଗ ଭିତ୍ତିହୀନ। ଏଭଳି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତଙ୍କର କିଛି ବି ଦୋଷ ନାହିଁ । ଏଥିପାଇଁ ଭୁଲ ମାଗିବାକୁ ଝିଅଙ୍କୁ ବାଧ୍ୟ କରାଯାଇଥିଲା। ଏହା ଅତ୍ୟନ୍ତ ସାଂଘାତିକ । ଝିଅଟିକୁ ଅଧ୍ୟକ୍ଷ ଏପରି ଧମକ ଦେଉଥିବାବେଳେ ସେଠାରେ ଅଭିଯୁକ୍ତ ଅଧ୍ୟାପକ ଜଣକ ବି ଉପସ୍ଥିତ ଥିଲେ। ଅଧ୍ୟକ୍ଷଙ୍କ ରୁମରୁ ବାହାରି ଆସିବା ପରେ ପୂରା ନିରାଶ ହୋଇ ଝିଅଟି ଏପରି ଚରମ ନିଷ୍ପତ୍ତି ନେଲା ।

ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହେଉଛି ଯେତେବେଳେ ଝିଅଟି ତା ଦେହରେ ପେଟ୍ରୋଲ ଢାଳିଲା ସେତେବେଳେ କେହି କଣ ରୋକିପାରିଲେ ନାହିଁ । ସେଠି ଆଉ ବି ଦୁଇଜଣରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇବାବେଳେ କେମିତି କେହି ଛଡ଼ାଇଲେ ନାହିଁ । ତା ପୁଣି ଅଧ୍ୟକ୍ଷଙ୍କ ରୁମ ବାହାରେ ଏସବୁ ଘଟୁଥିଲା । ଦେଖଣାହାରି ଭଳି ଅନ୍ୟମାନେ କଣ ପାଇଁ ଠିଆ ହୋଇଥିଲେ । ଚାହିଁଥିଲେ ତାକୁ ରୋକିପାରିଥାନ୍ତେ । ସେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବ । ସେଥିପାଇଁ ପେଟ୍ରୋଲ ଆଣିଥିଲା କିଏ ? କିଏ ତାକୁ ଏପରି କରିବାକୁ ଉସୁକାଇଥିଲା ? ସେସବୁ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଦରକାର ।

ଯେତେବେଳେ ଝିଅଟି ନିଆଁ ଲଗାଇ କଲେଜ୍‌ ବାରଣ୍ଡାରୁ ବାହାରି ଜଳୁଥିବା ଅବସ୍ଥାରେ ଚାଲି ଚାଲି ବାହାରକୁ ଯାଉଛି ସେତେବେଳେ କାହିଁକି କେହି ଜଣେ ବ୍ୟକ୍ତି ତାକୁ ତତ୍‌କ୍ଷଣାତ ଲିଭାଇବା ପାଇଁ ଉଦ୍ୟମ କରିନାହାନ୍ତି । ଯଦିଓ ଜଣେ ଛାତ୍ର ଆହତ ହୋଇଥିବା ଦୃଷ୍ଟିକୁ ଆସିଛି । ହେଲେ ଏତେବଡ଼ କାଣ୍ଡ ଘଟୁଥିବାବେଳେ କଲେଜ୍‌ର ସୁରକ୍ଷା କର୍ମୀ କିମ୍ବା ଅନ୍ୟଛାତ୍ର ଓ ଅଧ୍ୟାପକ କିମ୍ବା କର୍ମଚାରୀ କଣ କରୁଥିଲେ? ଏବେ ସେ ଜୀବନମରଣ ସହ ସଂଗ୍ରାମ କରୁଛି । ୧୩ ମାସର ବିଜେପି ଶାସନ ସମୟରେ ୩ ହଜାର ୫୪ ଜଣ ମହିଳା ଓ ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଶିକାର ହେଲେଣି । ଏବେ ଝିଅ ବୋହୁ ଘରୁ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି ।