ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇରୁ ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ ଆର୍ଥ୍ରରାଇଟିସର ସଫଳ ଅସ୍ତ୍ରୋପଚାର ପରେ ସେ ଭୁବନେଶ୍ବର ଫେରିଛନ୍ତି । ତାଙ୍କୁ ସ୍ବାଗତ ଜଣାଇବାକୁ ବିମାନ ବନ୍ଦରରୁ ନବୀସ ନିବାସ ଥିଲା ଲୋକାରଣ୍ୟ । ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନବୀନଙ୍କୁ ଦେଖିବା ପରେ ଭାବବିହ୍ବଳ ହୋଇ ପଡ଼ିଥିଲେ । ନବୀନ ଫେରୁଥିବା ଖବର ପାଇବା ପରେ ସ୍ବେଚ୍ଛାକୃତ ଭାବେ ହଜାର ହଜାର ସଂଖ୍ୟାରେ ଲୋକ ଆସିଥିଲେ । ନବୀନଙ୍କ ପାଇଁ ଅତୁଟ ଭଲ ପାଇବା ଯୋଗୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛି ବିଜୁ ଜନତା ଦଳ ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଲୋକଙ୍କ ଭଲ ପାଇବା ରିହିଛି । ଚିକିତ୍ସା ପାଇଁ ଜୁନ ୨୦ରେ ମୁମ୍ବାଇ ଯିବା ସମୟରେ ଯେପରି ଲୋକଙ୍କ ଭିଡ଼ ଜମିଥିଲା, ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇ ନବୀନ ଫେରିବା ପରେ ତା’ଠାରୁ ଅଧିକ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଶଂଖ ଭବନରୁ ବିମାନ ବନ୍ଦର, ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ବାଲିଯାତ୍ରାଠାରୁ ଥିଲା ଅଧିକ ଭିଡ଼ । କାହା ଆଖିରେ ଲୁହ ତ କିଏ ପୂଜାର୍ଚ୍ଚନା କରି ନବୀନଙ୍କ ସ୍ବାଗତ ପାଇଁ ଜମା ହୋଇଥିଲେ । ଆର୍ଥ୍ରରାଇଟିସର ସଫଳ ଅସ୍ତ୍ରୋପଚାର ପାଇଁ ସମସ୍ତେ ନବୀନଙ୍କ ପାଇଁ ପ୍ରାର୍ଥନା କରିଥିଲେ । ଲୋକଙ୍କ ଭଲ ପାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଜୁନ ୨୨ରେ ହୋଇଥିବା ଅପରେସନ ବି ସଫଳ ହୋଇଥିଲା । ଜୁଲାଇ ୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ତା ପରଠାରୁ ସାରା ରାଜ୍ୟ ନବୀନଙ୍କ ଫେରିବା ବାଟକୁ ଚାହିଁ ବସିଥିଲା । ନବୀନ ଫେରିବା ଖବର ପାଇବା ପରେ ନେତାଙ୍କଠାରୁ ଆରମ୍ଭ ସାଧାରଣ ଜନତା ଧାଇଁଥିଲେ ବିମାନ ବନ୍ଦର । ଟାଣ ଖରା ବି ସେମାନଙ୍କ ମନୋବଳ ଭାଙ୍ଗି ପାରି ନଥିଲା । ନବୀନ ଫେରିବା ମାତ୍ରେ ଜୟଗାନ ସହ ପୁଷ୍ପ ବର୍ଷାରେ ହୋଇଥିଲା ସ୍ବାଗତ । ନବୀନ ଫେରି ପୁଣି ଜନସେବାରେ ଯୋଗ ଦେଉଥିବାରୁ, ଲୋକଙ୍କ ଭିତରେ ଉତ୍ସାହ ଦ୍ବିଗୁଣିତ ଥିଲା ।
ନିଜର ପ୍ରିୟ ନେତାଙ୍କୁ ଦେଖିବାକୁ ସ୍ବତଃପ୍ରବୃତ୍ତ ଭାବେ ଯୋଗ ଦେଇଥିବା ଜନସାଧାରଣ ଖରାକୁ ଖାତିର ନ କରି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ସେଥିପାଇଁ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଲୋକଙ୍କୁ କୃତଜ୍ଞତା ଜଣାଇଛି ବିଜେଡି। ଓଡ଼ିଶାକୁ ବିକାଶର ଧାରାକୁ ଆଣିବା ପାଇଁ ନବୀନ ଯେଉଁ ଉଦ୍ୟମ କରିଥିଲେ ସେଥିପାଇଁ ଓଡ଼ିଶାବାସୀଙ୍କ ଭଲ ପାଇବା ରହିଛି । ଆଗକୁ ପୁଣି ନବୀନଙ୍କ ନେତୃତ୍ବରେ ଓଡିଶାବାସୀଙ୍କ ସେବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଛି ବିଜେଡି ।
ହସ୍ପିଟାଲ ସମୟରେ ବି ରାଜ୍ୟବାସୀଙ୍କ କଥା ଚିନ୍ତା କରୁଥିଲେ ନବୀନ । ଦଳଚକଟା ପରି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ସୋସିଆଲ ମିଡିଆ ଜରିଆରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେଉଁଠି ବି ରହିଲେ, ଜନସେବାକୁ ନବୀନ ଦେଇଛନ୍ତି ପ୍ରାଥମିକତା । ଏହି କାରଣରୁ ଆଜି ବି ସେ ଜନତାଙ୍କ ପ୍ରିୟ ନେତା ହୋଇ ରହିଛନ୍ତି ।

