ସମସ୍ଯା ଘେରରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାବଣ ଗାଡିଆ ଗାଁ ଲୋକେ

ଘଟଗାଁ : ଗାଁକୁ ନାହିଁ ପକ୍କା ରାସ୍ତା । କାଦୁଅ ପଚପଚ ରାସ୍ତା ପାଲଟିଛି ଲୋକଙ୍କ ଯୋଗାଯୋଗର ମାଧ୍ଯମ । ଖୋଦ ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୈଣିଘସା ପଞ୍ଚାୟତ ରାବଣ ଗାଡିଆ ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ରାବଣ ଗାଡିଆ ଗାଁଟି ବ୍ଲକ କାର୍ଯ୍ଯାଳୟ ଠାରୁ ମାତ୍ର ୧୫ କିମି ଦୂରରେ ଥିଲେ ମଧ୍ଯ ଦୀପ ତଳ ଅନ୍ଧାର ଭଳି ଗାଁକୁ ଆଜିବି ପହଞ୍ଚି ପାରିନି ପକ୍କା ରାସ୍ତା । ଫଳରେ କାଦୁଅ ପଚପଚ ସାଙ୍ଗକୁ ଖାଲଖମା ରାସ୍ତାରେ ନିତି ଯାଆସ କରୁଛନ୍ତି ଶତାଧିକ ଲୋକଙ୍କ ସମେତ ଛାତ୍ରଛାତ୍ରୀ । ଅନେକ ସମୟରେ ଲୋକ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ରାସ୍ତାର ଦୂରବସ୍ଥା ପାଇଁ ବର୍ଷା ଦିନେ ଲୋକଙ୍କ ସମସ୍ଯା ଦ୍ଵିଗୁଣିତ ହୋଇଯାଏ । ଏପରିକି ଜୁରିରୀକାଳୀନ ସେବା ମଧ୍ଯ ଗାଁ କୁ ପହଞ୍ଚି ପାରେନି । ଖଟିଆରେ ରୋଗୀଙ୍କୁ ବୋହି ନେଇ ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡେ । ସମସ୍ୟାର ସମାଧାନ ପାଇଁ ଲୋକେ ଅନେକ ଥର ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିପାରିନାହିଁ । ଅନ୍ଯପଟେ କ୍ଯାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ ରୋକଠୋକ ମନା କରିଦେଇଛନ୍ତି ସ୍ଥାନୀୟ ବିଡିଓ ।