ବିଧାୟକ ସନ୍ତାେଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ; ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ବର : ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ସ୍ୱାଧୀନ ତଦନ୍ତ ଦାବିରେ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି ପ୍ରତିନିଧି । କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଵି ମାମଲା ରୁଜୁ ହୋଇଛି । ତେବେ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ସରକାର ଏ ଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନାହାନ୍ତି ଯାହାକୁ ନିନ୍ଦା କରି ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡି ।

ସନ୍ତୋଷ ଖଟୁଆଙ୍କ ଗିରଫଦାରୀ ମଧ୍ୟ ଦାବି କରିଛି ବିଜୁ ଜନତା ଦଳ । ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବା ବିଜେଡି ଅଭିଯୋଗ କରିଛି । ବିଜୁ ପଟ୍ଟନାୟକ ମହିଳାଙ୍କ ଅଧିକାର ପାଇଁ ଲଢ଼ିଥିଲେ । ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଦେଇଥିଲେ । ଲେଖାଶ୍ରୀ ମଧ୍ୟ ନିଜ ସୁରକ୍ଷା ଦାବି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଚାର କରିବେ ବୋଲି କହିଛନ୍ତି ।