ହଜାରେ କୋଟିର ମାଲିକ ଧୋନି, କ୍ରିକେଟ ଅପେକ୍ଷା ଏହି ଉତ୍ସରୁ କମାନ୍ତି ଟଙ୍କା

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ । ଧୋନିଙ୍କୁ ଏବେ ୪୪ ବର୍ଷ ବୟସ ହୋଇଛି । କ୍ରିକେଟ ଜଗତରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କ୍ୟାପଟେନ କୁଲ ୧୯୮୧ ମସିହା ଆଜିର ଦିନରେ ରାଞ୍ଚିରେ ଜନ୍ମ ହୋଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଆଇପିଏଲରେ ଚର୍ଚ୍ଚାରେ ଅଛନ୍ତି । ରୋଜଗାର କ୍ଷେତ୍ରରେ ଧୋନି ବେଶ ଆଗରେ ରହିଛନ୍ତି । କ୍ରିକେଟ ବ୍ୟତିତ ସେ ବିଭିନ୍ନ ଉତ୍ସରୁ ବହୁତ ରୋଜଗାର କରନ୍ତି । ଦେଶର ସବୁଠାରୁ ଧନୀ କ୍ରିକେଟରଙ୍କ ତାଲିକାରେ ସାମିଲ ଅଛନ୍ତି ଧୋନି । ତାଙ୍କର ନେଟଓ୍ବର୍ଥ ରହିଛି ହଜାରେ କୋଟିରୁ ଅଧିକା ।
ତେବେ ଜନ୍ମଦିନରେ ଜାଣନ୍ତୁ କେଉଁ କେଉଁ ଉତ୍ସରୁ ରୋଜଗାର କରନ୍ତି ଧୋନି ।
ଅବସର ନେଲାପରେ ଧୋନି ଆଇପିଏଲ ଖେଳୁଛନ୍ତି । ଏଥିରୁ ତାଙ୍କର ରୋଜଗାର ଅଛି । ଆଇପିଏଲରୁ ୨ଶହ କୋଟି ଟଙ୍କା ରୋଜଗାର କରନ୍ତି । ୨୦୨୫ ଆଇପିଏଲରେ ତାଙ୍କୁ ୪ କୋଟି ଟଙ୍କା ମିଳିଥିଲା । ଏହା ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ । ଏହା ସହ ସେ ବିଭିନ୍ନ କମ୍ପାନୀର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ଆୟ କରନ୍ତି । ବ୍ୟବସାୟରେ ମଧ୍ୟ ତାଙ୍କର ନିବେଶ ରହିଛି । ବିଭିନ୍ନ କମ୍ପାନୀରେ ସେ ନିବେଶ କରି ଜବରଦସ୍ତ ରିଟର୍ଣ୍ଣ ପାଆନ୍ତି । ତାଙ୍କର ଆନୁମାନିକ ମାସିକ ଆୟ ୪ରୁ ୫ କୋଟି ଟଙ୍କା ବୋଲି କୁହାଯାଏ ।
କ୍ରିକେଟରୁ ଅବସର ପରେ ମଧ୍ୟ ଧୋନିଙ୍କ ଚାହିଦାରେ କୌଣସି ହ୍ରାସ ହେଇନି । ସେ ବିଭିନ୍ନ କମ୍ପାନୀର ବିଜ୍ଞାପନ କରନ୍ତି । ଏଥିରୁ ତାଙ୍କର କୋଟି କୋଟି ଆୟ ହୁଏ । ସେ ବଡ଼ ନିବେଶକ ମଧ୍ୟ । ନିବେଶକ ଭାବେ ସେ ଅନେକ ଷ୍ଟାର୍ଟଅପରେ ନିବେଶ କରନ୍ତି । ଏଥିରୁ ଭଲ ରିଟର୍ଣ୍ଣ ମିଳେ ।
ତାଙ୍କର ଏକ ବିଳାଶପୂର୍ଣ୍ଣ ଫାର୍ମ ହାଉସ ରହିଛି । ବିଭିନ୍ନ ସମୟରେ ତାଙ୍କ ଫାର୍ମହାଉସରେ ଚାଷ କରୁଥିବାର ଭିଡିଓ ଆପଣ ଦେଖିଥିବେ । ଡେରାଡୁନରେ ତାଙ୍କର କୋଟି କୋଟି ଟଙ୍କାର ଘର ରହିଛି । ରାଞ୍ଚିରେ ତାଙ୍କର ୪୩ ଏକର ଜମିରେ ଏକ ଫାର୍ମହାଉସ ରହିଛି । ଏହି ଜମିରେ ସେ ଜୈବିକ ପଦ୍ଧତିରେ ଚାଷ କରନ୍ତି । ସେ କଡକନାଥ କୁକୁଡ଼ା ଚାଷ କରନ୍ତି ବୋଲି ଖବର ମିଳେ । ଏହି କୁକୁଡ଼ା ମାଂସ କିଲୋ ହଜାରେ ଟଙ୍କାରେ ବିକ୍ରି ହୁଏ । କେବଳ ଏତିକି ନୁହେଁ ରାଞ୍ଚିରେ ତାଙ୍କର ଏକ ରେଷ୍ଟୁରାଣ୍ଟ ରହିଛି ଯାହାର ନାଁ ମାହି ରେସିଡେନ୍ସି ।
ତାଙ୍କର ବାଇକ ବହୁତ ପସନ୍ଦ ବୋଲି ଆପଣ ଜାଣିଥିବେ । କାର, ବାଇକର ଭଲ ଭଲ କଲେକ୍ସନ ତାଙ୍କ ପାଖରେ ରହିଛି । ବହୁତ ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି । ତାଙ୍କର ଏକ ସଂଗ୍ରହାଳୟ ରହିଛି ଯେଉଁଠି ସେ ନିଜ ପସନ୍ଦର କାର, ବାଇକ କଲେକ୍ସନ ରଖିଛନ୍ତି ।