ଆରମ୍ଭ ହେଲା ରଥଟଣା: ବାହୁଡୁଛନ୍ତି ତିନି ଠାକୁର

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଜି ବାହୁଡ଼ା ଉତ୍ସବ । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରୁଛନ୍ତି ତିନି ଠାକୁର । ବାଟରେ ଅଟକି ମାଉସୀ ମାଆ ଆଦରରେ ପରସି ଦେଇଥିବା ପୋଡ଼ ପିଠା ଖାଇ ପୁଣି ଆଗକୁ ବଢ଼ିଛନ୍ତି ।
ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଧାଡି ପହଣ୍ଡିରେ ପ୍ରଥମେ ରଥକୁ ଆସିଥିଲେ ଚକ୍ରରାଜ ସୁଦର୍ଶନ । ଏହାପରେ ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡିରେ ଆସି ତାଳଧ୍ବଜ ଏବଂ ଦର୍ପଦଳନ ରଥରେ ବିରାଜମାନ ହୋଇଥିଲେ ।
ଏହାପରେ ଟାହିଆ ହଲାଇ ହଲାଇ ଗୁଣ୍ଡିଚା ଘରୁ ବାହାରି ଥିଲେ ବିଶ୍ବ ନିଅନ୍ତ, ଜଗତନାଥ ଜଗନ୍ନାଥ । ସେବାୟତଙ୍କ ମେଳରେ ହଲି ହଲି ନନ୍ଦିଘୋଷ ଆଡକୁ ଅଗ୍ରସର ହୋଇଥିଲେ । ବେଳେ ବେଳେ ଅଟକି ଯାଇ ଭକ୍ତଙ୍କ ଆଡକୁ ଅନାଇ ଦେଉଥିଲେ । ଧିରେ ଧିରେ ନନ୍ଦିଘୋଷରେ ବିରାଜିତ ହେବା ପରେ ଆରମ୍ଭ ହୋଇଥିଲା ରଥଟଣା ।
ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା । ବଡ଼ ଠାକୁରଙ୍କ ତାଳଧ୍ବଜ ରଥ ଘର୍ ଘର୍ କରି ବଡ଼ଦାଣ୍ଡରେ ଆଗେଇ ଚାଲିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବାହାରିଥିଲା ଜଗତନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଶ୍ରୀଜିଉଙ୍କ ରଥକୁ ଟାଣି ନେବାକୁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍କଣ୍ଠା । ହାତ ଟେକି ଦେଇ କିଏ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପି ଦେଇଛି ତ ଆଉ କିଏ ରଥ ଦଉଡିକୁ ଟିକେ ଛୁଇଁ ଦେଇ କୋଟି ଜନ୍ମର ପୂଣ୍ୟ ପାଇଯାଉଛନ୍ତି ।