ପିଏନବି ଘୋଟାଲା: ପଳାତକ ନିରବ ମୋଦିଙ୍କ ଭାଇ ନିହାଲ ଆମେରିକାରେ ଗିରଫ
1 min read
ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି) ଘୋଟାଲାରେ ସମ୍ପୃକ୍ତ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭାଇ ନିହାଲ ମୋଦି ଆମେରିକାରେ ଗିରଫ । ଜୁଲାଇ ୪ ତାରିଖରେ ଆମେରିକୀୟ ଅଧିକାରୀ ତାଙ୍କୁ ଗିରଫ କରିଛନ୍ତି । ଭାରତ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ପ୍ରତ୍ୟାବର୍ତ୍ତିନ ଆବେଦନ ଉପରେ ତାଙ୍କୁ ଗିରଫ କରାଯାଇଛି । ସିବିଆଇ ଓ ଇଡ଼ି ପକ୍ଷରୁ ମିଳିତ ଭାବେ ଏହି ଆବେଦନ କରାଯାଇଥିଲା ।
ନିହାଲଙ୍କ ବିରୋଧରେ ଆମେରିକାରେ ଦୁଇଟି ଗମ୍ଭୀର ଅଭିଯୋଗରେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଚାଲିଥିଲା । ପ୍ରଥମଟି ହେଉଛି ମନି ଲଣ୍ଡରିଂ । ଭାରତ ସରକାରଙ୍କ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ (PMLA) ଧାରା ୩ ଅଧୀନରେ ରହିଛି । ଦ୍ବିତୀୟଟି ହେଲା ଅପରାଧ ଯୋଜନା ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ । ଯେଉଁଥିପାଇଁ ଭାରତୀୟ ଦଣ୍ଡ ସଂହିତା (IPC) ଧାରା ୧୨୦ (ବି) ଓ ୨୦୧ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବାର ଅଛି ।
ନିହାଲଙ୍କ ବିରୋଧରେ କ’ଣ ରହିଛଇ ଅଭିଯୋଗ ?
ତଦନ୍ତକାରୀ ଅଧିକାରଙ୍କ ଅନୁସାରେ ନିହାଲ ପିଏନବି ଘୋଟାଲାରେ ସାମିଲ ଅଛନ୍ତି । ଯାହାକୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କିଂ ଘୋଟାଲା କୁହାଯାଉଛି । ନିହାଲଙ୍କ ବିରୋଧରେ ଅଭିଯୋଗ ରହିଛି କି, ଭାଇ ନିରବ ମୋଦିଙ୍କୁ ସାହାଯ୍ୟ କରି ହଜାର ହଜାର କୋଟି ଟଙ୍କାର କଳାଧନ ବିଦେଶରେ ଥିବା ସେଲ କମ୍ପାନୀଙ୍କ ଜରିଆରେ ଟ୍ରାନ୍ସଫର କରିଛନ୍ତି । ଏହାସହ ଘୋଟାଲାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ।
୧୭ ଜୁଲାଇରେ ପରବର୍ତ୍ତୀ ଶୁଣାଣି
ନିହାଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆସନ୍ତା ୧୭ ତାରିଖରେ ଆମେରିକା କୋର୍ଟରେ ଶୁଣାଣି ହେବ । ଯାହା ଷ୍ଟାଟସ୍ କନଫ୍ରେନ୍ସ ଜରିଆରେ ମାମଲାର ପରବର୍ତ୍ତୀ ସ୍ଥିତି ସ୍ଥିର କରିବ । ନିହାଲ ଜାମିନ ପାଇଁ ଆବେଦନ କରିବାର ସମ୍ଭାବନା ରହିଛି । ତେବେ ଆମେରିକୀୟ ପକ୍ଷଙ୍କ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରି ଦିଆଯାଇଛି ଯେ, ତାଙ୍କ ଜାମିନକୁ ବିରୋଧ କରାଯିବ । ଅନ୍ୟପକ୍ଷରେ ନିହାଲଙ୍କୁ ଶ୍ରୀଘ୍ର ଆଣିବାକୁ ଭାରତ ପକ୍ଷରୁ ଚେଷ୍ଟା କରାଯାଉଛି । ଫଳରେ ପିଏନବି ମାମଲାରେ ତାଙ୍କ ଉପରେ ଟ୍ରାଏଲ ଆରମ୍ଭ ହୋଇ ପାରିବ ।