ବିପଦରେ କପିଳାସ ପୀଠରେ ପାର୍ବତୀ ମା’ଙ୍କ ମନ୍ଦିର

ଢେଙ୍କାନାଳ: ବିପଦରେ କପିଳାସ ପୀଠରେ ପାର୍ବତୀ ମା’ଙ୍କ ମନ୍ଦିର । କେଉଁଠି ସିମେଣ୍ଟ ଛାଡିଗଲାଣି ତ କେଉଁଠି ଛାତ ଫାଟି ଆଁ । ଜଳଜଳ ହୋଇ ଦିଶୁଛି ଲୁହା ରଡ୍ । ସାମାନ୍ଯ ବର୍ଷାରେ ଛାତରୁ ଗଳୁଛି ପାଣି । ବର୍ଷାରେ ଭିଜୁଛନ୍ତି ମାଆ ପାର୍ବତୀ । ଏପରିକି ଦଶହରାର ଅଷ୍ଟମୀ ପୂଜା ହୋମ ବେଳେ ମାଆ ବର୍ଷାରେ ଓଦା ହୋଇଯାଉଛନ୍ତି । ଭଗବାନଙ୍କ ଭରସାରେ ବିପଦପୂର୍ଣ୍ଣ ଭାବେ ମାଆଙ୍କ ପୂଜାର୍ଚ୍ଚନା କରୁଛନ୍ତି ସେବକ ।  ମନ୍ଦିର ସମସ୍ଯା ସଂପର୍କରେ ବାରମ୍ବାର ପ୍ରଶାସନ , ଦେବୋତ୍ତର ଅଧିକାରୀ, ପ୍ରତ୍ନତତ୍ତ୍ବ ବିଭାଗକୁ ଅଭିଯୋଗ କଲେ ମଧ୍ୟ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ଯାହାକୁ ନେଇ ମନ୍ଦିର ସେବକ ଓ ପୂଜାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।…

ପ୍ରଶାସନିକ ସ୍ତରରେ ସମନ୍ଵୟ ଅଭାବ ଯୋଗୁଁ ଏହି ପ୍ରସିଦ୍ଧ ଶୈବପୀଠ ଏବେ ଅବ୍ଯବସ୍ଥା ଘେରରେ । ମନ୍ଦିର ବେଢା ଦବିବା ସହ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ମଧ୍ଯ ଠିକ ଭାବେ କାମ କରୁନାହିଁ । ଅନ୍ୟପଟେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କପିଳାସ ପୀଠର ମୁଖ୍ୟ ମନ୍ଦିର ତଥା ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିର ଓ ଭୋଗ ମଣ୍ଡପକୁ ମରାମତି କରାଯାଇଛି । ହେଲେ ମାଆ ପାର୍ବତୀଙ୍କ ମନ୍ଦିର ଆଜି ପର୍ଯ୍ଯନ୍ତ କାହିଁକି ମରାମତି ହୋଇ ନାହିଁ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସେବାୟତ ।

ମନ୍ଦିରର ଉନ୍ନତିକରଣ ପାଇଁ ଏକ କମିଟି ଗଠନ ନିମନ୍ତେ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଥିଲେ ମଧ୍ଯ ସେ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।