ଗୁଜରାଟ ମଡେଲରେ ଜିଲ୍ଲା ସଭାପତି ଚୟନ କରିବ ଓଡିଶା କଂଗ୍ରେସ

ଭୁବନେଶ୍ବର :  ଓଡିଶା କଂଗ୍ରେସରେ ଗୁଜରାଟ ମଡେଲ । ‘ସଂଗଠନ ସୂର୍ୟନ’ ଚୟନ କରିବ ଜିଲ୍ଲା ସଭାପତି । ଏଆଇସିସି ଭିଡିଲା ଅଣ୍ଟା । ମାସେ ଭିତରେ ସରିବ ପ୍ରକ୍ରିୟା । ୧୧ରେ ଓଡିଶା ଆସୁଛନ୍ତି ରାହୁଲ ଓ ଖଡଗେ । ସୁପାରିସ କି ଲବି ନୁହେଁ। ଜିଲ୍ଲାସ୍ତରରୁ  ଏଆଇସିସିର ଟିମ ଚୟନ କରିବେ ଜିଲ୍ଲା କଂଗ୍ରେସ ସଭାପତି। ପଡୋଶୀ ରାଜ୍ୟର କ୍ୟାବିନେଟ ଓ ପିସିସି ସ୍ତରର ଜଣେ ଜଣେ ନେତା ଜିଲ୍ଲା ଗସ୍ତରେ ଯିବେ । ସେମାନେ ଲଗାତାର କିଛି ଦିନ ଧରି ଜିଲ୍ଲାସ୍ତରୀୟ ସଂଗଠନର ତର୍ଜମା କରିବେ । ଏହାପରେ ସେହି ସଦସ୍ୟମାନେ ଜିଲ୍ଲାର ସଭାପତି ଓ କମିଟି ଗଠନ କିଭଳି ହେବ ତାହା ଚୟନ କରିବେ । ୬ ରୁ ୮ ଜଣଙ୍କୁ ନେଇ ଜିଲ୍ଲା କମିଟି ଗଠନ ହେବ । ପିସିସିର ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବାକୁ ଏଆଇସିସି ଓଡିଶାରେ ଗୁଜରାଟ ମଡେଲ ଆପଣାଇଛି । ଗୁଜରାଟ ମଡେଲ ଦ୍ବାରା ଜିଲ୍ଲା ସଭାପତିଙ୍କୁ ଅଧିକ କ୍ଷମତା ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି । ନିର୍ବାଚନ ନୁହେଁ, ସିଲେକ୍ସନ ଭିତ୍ତିରେ କମିଟି ଗଠନ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ମାସରେ ଆରମ୍ଭ ହୋଇ ଏକ ମାସ ମଧ୍ୟରେ ସରିବ ବୋଲି ପିସିସି ସଭାପତି କହିଛନ୍ତି । ‘ସଂଗଠନ ସୂର୍ୟନ’ ନାମରେ ଅଭିଯାନ ଆରମ୍ଭ କରାଯିବ। ମଧ୍ୟବର୍ତ୍ତୀକାଳୀନ ସଭାପତିମାନଙ୍କୁ ‘ଜିଲ୍ଲା ସଂଯୋଜକ’ ଭାବେ ନାମିତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।

ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଓ” ସମାବେଶରେ ଯୋଗ ଦେବେ । ନାରୀ ନିର୍ଯାତନା, ଚାଷୀଙ୍କୁ ଅବହେଳା, ଯୁବକଙ୍କୁ ପ୍ରତାରଣା ଆଦି ୫ଟି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ସମାବେଶରେ ଡବଲ ଇଞ୍ଜିନ ସରକାରକୁ ପ୍ରଶ୍ନ କରିବେ । ରାହୁଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓ  ସାଧାରଣ ସମ୍ପାଦକ ଆସିବେ। ଦିନିକିଆ ଓଡିଶା ଗସ୍ତରେ ରାହୁଲ ଗାନ୍ଧୀ ସମାବେଶରେ ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବାର କାର୍ଯକ୍ରମ ରହିଛି । ରାହୁଲଙ୍କ ଓଡିଶାଗସ୍ତ ନେଇ ଉତ୍ସାହିତ ଅଛନ୍ତି କଂଗ୍ରେସ କର୍ମୀ ଓ ନେତା । ଡବଲ ଇଞ୍ଜିନ ସରକାରଙ୍କ ବିଫଳତାକୁ ରାହୁଲ ମୁଖ୍ୟ ପ୍ରସଙ୍ଗ କରି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ବରିଷ୍ଠ  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେପି ସରକାର ଓଡିଶାବାସୀଙ୍କୁ ଯେପରି ପ୍ରତାରଣ କରିଛନ୍ତି ତାହା ଲୋକଙ୍କୁ ବୁଝାଇବ ଦଳ । ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଚଳଚଞ୍ଚଳ କଂଗ୍ରେସ । ଦୁର୍ବଳ ସଂଗଠନକୁ ସଜାଡିବା ପଇଁ ଏଆଇସିସି ଓଡିଶାକୁ  ଫୋକସ କରିଛି ।