ଜୟପୁର ସହରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଜୟପୁର : ସ୍କୁଲ ଅଛି । ପାଠପଢା ଚାଲିଛି । କିନ୍ତୁ ପାଠ ପଢାଉଥିବା ମହିଳା ଜଣଙ୍କ ଶିକ୍ଷୟିତ୍ରୀ ନୁହଁନ୍ତି । ସେ ହେଉଛନ୍ତି ଜଳ ସେଚନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରୋଗ୍ରେସ ରେକର୍ଡର ମଞ୍ଜୁଲତା ମିଶ୍ର । ଶିକ୍ଷାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଖୋଦ ଜୟପୁର ସହରରେ ।  ଜୟପୁର ସହରର ଇରିଗେସନ କଲୋନୀରେ ଥିବା ଅପର କୋଲାବ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ତାଙ୍କୁ ଜଳସେଚନ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି । ସେ ଶିକ୍ଷା ବିଭାଗର ନିୟମ ଅନୁସାରେ କୌଣସି ତାଲିମ ପାଇ ନାହାନ୍ତି । ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵ ଜଣେ ପ୍ରୋଗ୍ରେସ ରେକର୍ଡର ତୁଲାଉଛନ୍ତି । ସ୍କୁଲରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୬୩ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କୁ କେଉଁ ପ୍ରକାର ଶିକ୍ଷା ଦିଆଯାଉଥିବ ତାକୁ ନେଇ ଉଠିଛି ପ୍ରଶ୍ନ । ସେହିପରି ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ପ୍ରୋଜେକ୍ଟ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୩୬ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସେମାନଙ୍କ ପାଇଁ କେବଳ ୨ ଜଣ ଶିକ୍ଷକ ରହିଛନ୍ତି, ଯିଏକି ଚଳିତ ମାସରେ ଅବସର ନେବେ । ତାପରେ ସ୍କୁଲରେ ଶିକ୍ଷାଦାନ କିପରି ଚାଲିବ ସେନେଇ ଚିନ୍ତାରେ ଅଭିଭାବକ ଓ ପୂର୍ବତନ ଛାତ୍ର । ସ୍କୁଲରେ ଶିକ୍ଷକ ଅଭାବ ସଂପର୍କରେ ବାରମ୍ବାର ଶିକ୍ଷା ବିଭାଗ ଓ ଜଳ ସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।

ଅପର କୋଲାବ ପ୍ରୋଜେକ୍ଟ ଅଧୀନରେ କୋରାପୁଟ ଜିଲ୍ଲାରେ ଗୋଟିଏ ହାଇସ୍କୁଲ ଓ ୪ଟି ପ୍ରାଥମିକ ବିଦ୍ଯାଳୟ ଥିବା ବେଳେ ସବୁ ବିଦ୍ଯାଳୟ ଅବସ୍ଥା ସମାନ । ଏ ସଂପର୍କରେ ନନ୍ଦିଘୋଷ ଟିଭି ପ୍ରତିନିଧି ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ଯଯନ୍ତ୍ରୀଙ୍କ ଧ୍ଯାନ ଆକର୍ଷଣ କରିଥିଲେ । ସେ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିବା ସହ ବିଦ୍ଯାଳୟଗୁଡିକୁ ଶିକ୍ଷା ବିଭାଗକୁ ହନ୍ତାନ୍ତର କରିବାକୁ ଚିଠି ଲେଖିଥିବା କହିଛନ୍ତି । ଅନ୍ଯପଟେ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ । ପୂର୍ବରୁ ଯେଉଁ ହାଇସ୍କୁଲରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଆଜି ବହୁ ଉଚ୍ଚ ପଦସ୍ଥ ଅଧିକାରୀ ହୋଇପାରିଛନ୍ତି, ସେହି ସ୍କୁଲ ଆଜି ଅବହେଳିତ । ଏହାଠୁ ଦୁର୍ଭାଗ୍ଯର ବିଷୟ କଣ ହୋଇପାରେ ?