‘ରଥଯାତ୍ରା ମହାବିଭ୍ରାଟ,ସରକାରଙ୍କ ଅପାରଗତାରୁ ଦଳାଚକଟା’

1 min read

ଭୁବନେଶ୍ବର : ବିଶୃଙ୍ଖଳିତ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସରକାରଙ୍କ  ଅପାରଗତା ଯୋଗୁଁ  ଗୁଣ୍ଡିଚା ମନ୍ଦିର ପାଖରେ ଘଟିଲା ଅଘଟଣ। ଭକ୍ତଙ୍କ ଗଲା ଜୀବନ ।  ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରି ସରକାର ନିଜର ଦାୟିତ୍ବ ଭୁଲିଗଲେ । ରଥଯାତ୍ରା ପୂର୍ବରୁ ଶୀତତାପ କୋଠରୀରେ କରାଯାଇଥିବା ନିଷ୍ପତ୍ତି ପ୍ରତିଫଳିତ ହେଲାନି ରଥଯାତ୍ରାରେ। ରଥଯାତ୍ରା ମହାବିଭ୍ରାଟ ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଲା। ସରକାର କିନ୍ତୁ ହାଲୁକା ଭାବେ ଘଟଣାକୁ ନେଇଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିଭ୍ରାଟ ପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି । ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ରଥଯାତ୍ରା ମହାବିଭ୍ରାଟ ପାଇଁ ଜଣେ କାର୍ଯ୍ୟରତ ବିଚାରପ୍ରତିଙ୍କ ଦ୍ଵାରା ତଦନ୍ତ କରିବାକୁ ଦଳ ଦାବି କରିଛି । କଂଗ୍ରେସ ଅଭିଯୋଗ କରିଛି ରଥଯାତ୍ରାକୁ ନେଇ ବିଜେପି ସରକାର ଦୁଇଟି କଥା ଓଡିଶାବାସୀଙ୍କୁ ଲୁଚାଇଥିଲା । ବିଜେପିର ୧୫ଶହ କର୍ମକର୍ତ୍ତା ରଥଯାତ୍ରାରେ ସାମିଲ ହେବେ ସେ କଥା କାହିଁକି ସରକାର କହିଲେ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।  ଓଡିଆ ଅସ୍ମିତା ଓ ଓଡ଼ିଆ ପ୍ରାଣ ଦେଵତା  କଣ ନ୍ୟାୟ ପାଇବେ ବୋଲି ଦଳ ପ୍ରଶ୍ନ କରିଛି ।

ଅନ୍ୟପଟେ ବିଜେପି ବିଧାୟକ ମନୋରଂଜନ ଦ୍ୟାନ ସାମନ୍ତରାୟ କହିଛନ୍ତି- ରଥଯାତ୍ରାରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ। ସରକାର ତ୍ବରିତ ପଦକ୍ଷେପ ନେଇଛନ୍ତି। ୧ ମାସ ଭିତରେ ତଦନ୍ତ ରିପୋର୍ଟ୍ ଆସିବ।  ବିଭ୍ରାଟ ପାଇଁ ସରକାର ଜିଲ୍ଲାପାଳ, ଓ ଏସପିକୁ  ବଦଳି କରିଛିନ୍ତି। ଆଗକୁ ଯେମିତି ଏପରି ଅଘଟଣ ନଘଟିବ ତାହା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ବିଜେପି ସରକାରର ପ୍ରଥମ ରଥଯାତ୍ରାରେ ବଡ ଠାକୁରଙ୍କ ଚାରମାଳରୁ ପଡିଯିବା ତଦନ୍ତ ରିପୋର୍ଟ ଏଯାଏ ସରକାର ପ୍ରକାଶ କରିନାହାଁନ୍ତି । ଚଳିତ ବର୍ଷ  ରଥଯାତ୍ରା ଅଘଟଣ ତଦନ୍ତ ରିପୋର୍ଟ ବିଳମ୍ବ ନ କରିବାକୁ ଚେତାଇ ଦେଇଛି ବିଜେଡି।