ଭକ୍ତଙ୍କ ଆସ୍ଥା ଓ ବିଶ୍ଵାସକୁ ଧକ୍କା, ଅରୁଣ ସ୍ତମ୍ଭ ସ୍ପର୍ଷରୁ ବଞ୍ଚିତ ଶ୍ରଦ୍ଧାଳୁ

ପୁରୀ : ଅରୁଣ ସ୍ତମ୍ଭ ସ୍ପର୍ଷରୁ ବଞ୍ଚିତ ଶ୍ରଦ୍ଧାଳୁ । ଭକ୍ତଙ୍କ ଆସ୍ଥା ଓ ବିଶ୍ଵାସକୁ ଧକ୍କା । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ବ୍ରିଟିଶ ଅମଳରୁ ରହିଛନ୍ତି ଅରୁଣ ସ୍ତମ୍ଭ । ଏହାକୁ ଦର୍ଶନ ଓ ସ୍ପର୍ଶ ସହ ପ୍ରଣାମ କରି ସିଂହଦ୍ଵାର ଦେଇ ପ୍ରବେଶ କରନ୍ତି ଶ୍ରଦ୍ଧାଳୁ । କେବଳ ଶ୍ରଦ୍ଧାଳୁ ନୁହନ୍ତି ସେବାୟତ ମଧ୍ୟ ଏହାକୁ ପ୍ରଥମେ ଦର୍ଶନ ଓ ପ୍ରଣିପାତ କରିଥାନ୍ତି । ବ୍ରିଟିଶ ସମୟରୁ ଅରୁଣ ସ୍ତମ୍ଭକୁ ଲୁହା ବାଡ ଘେରି ରହିଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ କାଢି ପିତଳ ବ୍ୟାରିକେଡ଼ ଲଗାଇଛି । ଅରୁଣ ସ୍ତମ୍ଭର ସୁରକ୍ଷା ଓ ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ଏହି ପିତଳ ବ୍ୟାରିକେଡ ଲଗାଯାଉଥିବା କୁହାଯାଉଥିବାବେଳେ ଏହାକୁ ସ୍ପର୍ଷ କରି ନପାରି ଶ୍ରଦ୍ଧାଳୁଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅରୁଣ ସ୍ତମ୍ଭର ସୁରକ୍ଷା ଓ ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ପରିବର୍ତ୍ତନ କରାଯାଉଛି । ମାତ୍ର ଏନେଇ କୌଣସି ସେବାୟତଙ୍କ ସହ ଆଲୋଚନା କରାଯାଇ ନାହିଁ ।ପ୍ରାୟ ୪ ଫୁଟ ଉଚ୍ଚର ପିତଳ ବ୍ୟାରିକେଡ ଲଗାଯିବା ଦ୍ବାରା ଅଧିକାଂଶ ଭକ୍ତ ଆଉ ଅରୁଣ ସ୍ତମ୍ଭ ସ୍ପର୍ଶ କରିପାରୁ ନାହାନ୍ତି । ଏହା ଭକ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଛି । ପ୍ରଥମେ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ ମନା, ତା ପରେ ରଥ ଉପରକୁ ଚଢିବା ମନା ଆଉ ଏବେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ସ୍ପର୍ଶ କରିବାର ଅଧିକାରରୁ ବଞ୍ଚିତ ହେଉଛନ୍ତି ଭକ୍ତ । ତେବେ ଏହି ନୂତନ ପିତଳ ବ୍ୟାରିକେଡରେ ଇସ୍କନ ସଂସ୍ଥାର ପ୍ରତୀକ ଭଳି ଦୃଶ୍ୟମାନ ହେଉଛି । ତେବେ ଅଭିଯୋଗ ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ହଠାତ୍ ଅରୁଣ ସ୍ତମ୍ଭ ଚାରିପଟେ ଏଭଳି ପିତଳ ବ୍ୟାରିକେଡ଼ ଲାଗିବା ନିଷ୍ପତି କଣ ପାଇଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରଦ୍ଧାଳୁ ଓ ସେବାୟତ ।