ଅଧାରେ ଅଟକିଛି କଟକ ସହିଦ ଭବନ କାମ, ପ୍ରଶାସନ ଅବହେଳାରୁ ହେଉଛି ବିଳମ୍ବ

କଟକ : ବିଳମ୍ବ ହେଉଛି କଟକ ସହିଦ ଭବନ କାମ । ୩ ବର୍ଷରେ ସରିଛି ୯୦ ଭାଗ କାମ । ପ୍ରଶାସନ ଅବହେଳାରୁ ସରୁନି ନିର୍ମାଣ କାର୍ଯ୍ଯ । କଟକରେ ସଭାସମିତି ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପାଇଁ ନିର୍ମାଣ ହୋଇଛି ସହିଦ ଭବନ । ଐତିହ୍ୟ ସମ୍ପନ୍ନ ଏହି ହଲର ନବୀକରଣ ପାଇଁ ପୂର୍ବ ସରକାର ଗୁରୁତ୍ବ ଦେଇ ୩ ବର୍ଷ ତଳେ ୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଗୋଟିଏ ବର୍ଷରେ କାମ ବେଶ ଆଗେଇଥିଲା । ତେବେ ୯୦ ପ୍ରତିଶତ କାମ ସରିଥିବା ବେଳେ ଏବେ ବାକି ଛୋଟମୋଟ କାମ ସାରି ଏହାକୁ ଲୋକାର୍ପଣ କରିବା କଥା । କିନ୍ତୁ ପ୍ରଶାସନର ଅବହେଳାରୁ ଏହା ଉଦଘାଟନ ହେଉ ନଥିବାରୁ ସଭାସମିତି ପାଇଁ ମିଳୁନି ସ୍ଥାନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ସହିଦ ଭବନରେ ବର୍ଷ ତମାମ ସଭାସମିତି ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥିପାଇଁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସିଏମସି ଭଲ ରାଜସ୍ବ ପାଇଥାଏ । ତେଣୁ ଏହାର କାମ କେଉଁଠି ଅଟକିଛି ସେ କଥାକୁ ମେୟର ଓ କମିଶନର ଅନୁଧ୍ୟାନ କରିବାକୁ କର୍ପୋରେଟର ମାନେ ବିଭିନ୍ନ ସମୟରେ ସିଏମସି ବୈଠକରେ ଦାବି କରିଛନ୍ତି । ତେବେ ଛୋଟମୋଟ ଯାହା କାମ ଅଛି ତାକୁ ସାରି, ଖୁବଶୀଘ୍ର ଉଦଘାଟନ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର । ସହିଦ ଭବନ ଉଦଘାଟନ ହୋଇପାରୁ ନଥିବାରୁ ସିଏମସି ରାଜସ୍ବ ହରାଇବା ସହ ସରକାରୀ ଅର୍ଥ କାମରେ ନଆସି ପଡ଼ି ରହିଥିବା ଅଭିଯୋଗ କରିଛନ୍ତି କର୍ପୋରେଟର ।