ଛଅଟି ସମୋସା ବଦଳାଇ ଦେଲା କେସର ଦିଗ: ଏହି ଲାଞ୍ଚ ନେଇ ଭୁଲ୍ ରିପୋର୍ଟ ପ୍ରସ୍ତୁତ କଲେ ଯାଞ୍ଚ ଅଧିକାରୀ

ଲକ୍ଷ୍ନୌ: ଅନେକ ସମୟରେ କିଛି ସରକାରୀ ଅଧିକାରୀ କିଛି ଟଙ୍କା ଲାଞ୍ଚ ନେଇ ଧରାପଡ଼ି ଜେଲ ଯାଇଥାନ୍ତି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଜଣେ ଅଧିକାରୀ ଟଙ୍କା ନୁହେଁ, ବରଂ କିଛି ସମୋସା ଲାଞ୍ଚ ନେଇଥିଲେ । ଅଧିକାରୀଙ୍କୁ ଏହି ସମୋସା ଖାଇବାକୁ ଦେବା ପରେ କେସର ଦିଗ ବଦଳି ଯାଇଥିଲା । ଏକ ଦୁଷ୍କର୍ମ ମାମଲାର ଯାଞ୍ଚ ପାଇଁ ପହଞ୍ଚିଥିବା ଅଧିକାରୀ ଛଅଟି ସମୋସା ଲାଞ୍ଚ ନେଇ ଅନ୍ତିମ ରିପୋର୍ଟ ଦାଖଲ କରିଥିବା ଅଭିଯୋଗ ହୋଇଛି । ଅଧିକାରୀ ଜଣଙ୍କ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିନଥିଲେ ଓ ପୀଡ଼ିତାଙ୍କ ବୟାନକୁ ମଧ୍ୟ ଅଣଦେଖା କରିଥିଲେ ।
ଜଣେ ୧୪ ବର୍ଷୀୟା ଯୁବତୀଙ୍କ ଦୁଷ୍କର୍ମ ମାମଲାରେ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାଞ୍ଚ ଅଧିକାରୀ ଜଣଙ୍କ ଛଅଟି ସମୋସା ଲାଞ୍ଚ ନେଇ ମାମଲାର ଅନ୍ତିମ ରିପୋର୍ଟ ଦାଖଲ କରିଥିଲେ । ତାହାକୁ ବିଶେଷ ନ୍ୟାୟାଧୀଶ ପକ୍ସୋ ଆକ୍ଟ ରଦ୍ଦ କରିଦେଇଥିଲେ । ଜଲେସର ଥାନା ଅଞ୍ଚଳରେ ଏହି ମାମଲା ଘଟିଛି । ଘଟଣାଟି ୨୦୧୯ ମସିହା ଏପ୍ରିଲ ୧ରେ ଘଟିଥିଲା । ପୀଡ଼ିତାଙ୍କ ପିତା ଅଦାଲତରେ କହିଛନ୍ତି, ଅଭିଯୁକ୍ତଙ୍କ ସମୋସା ଦୋକାନ ରହିଛି । ଯାଞ୍ଚ ଅଧିକାରୀ ସେଠାକୁ ଯାଇ କେବଳ ଛଅଟି ସମୋସା ନେଇଥିଲେ ଓ କେସର ଯାଞ୍ଚରେ ଲାପରବାହୀ ଦେଖାଇ ଭୁଲ୍ ରିପୋର୍ଟ ପ୍ରସ୍ତୁତ କରିଥିଲେ । ପୋଲିସ ଦ୍ବାରା ଦାଖଲ କରାଯାଇଥିବା ଅନ୍ତିମ ରିପୋର୍ଟକୁ ଅଦାଲତ ରଦ୍ଦ କରିଦେଇଥିଲେ ।