ପୁରୀରେ ଗୌତମ ଆଦାନୀ, ସପରିବାରେ କଲେ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ପୁରୀରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଆଜି ଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ବର୍ଷାରେ ଭିଜି ପତ୍ନୀ ଓ ପୁଅଙ୍କ ସହିତ ତିନି ଠାକୁରଙ୍କ ଆଶୀର୍ବାଦ ନେଇଛନ୍ତି ।
ଏହାପରେ ଆଦାନୀ ଫାଉଣ୍ଡେସନ ଓ ଇସ୍କନ ଦ୍ଵାରା ପରିଚାଳିତ ରୋଷଶାଳାକୁ ଯାଇଥିଲେ । ଏଠାରେ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ କରାଯାଉଛି । ରଥଯାତ୍ରା ସମୟରେ ୪୦ ଲକ୍ଷ ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଛି । ନିଜେ ପୁରୀ ଛାଣିବା ସହିତ ରୋଷେଇରେ ସାହାଯ୍ୟ କରିଥିଲେ ଗୌତମ ଆଦାନୀ । ଏପରିକି ନିଜେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ମଧ୍ୟ କରିଥିଲେ । ପରେ ପୁରୀ ସମୁଦ୍ର କୂଳକୁ ଯାଇ ଆଦାନୀ ପକ୍ଷରୁ ନିୟୋଜିତ ଲାଇଫ ଗାର୍ଡଙ୍କୁ ଭେଟିବେ । ଆଦାନୀ ଲାଇଫ ଗାର୍ଡମାନେ ସମୁଦ୍ରରେ ବୁଡି ଯାଉଥିବା ବହୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ସେ କହିଥିଲେ, ରଥଯାତ୍ରାରେ ଅହଂକାର ଆଗରେ ନର୍ମତା ରହିଛି । ପ୍ରଭୁଙ୍କ ଶରଣକୁ ଆସିବାକୁ ସୁଯୋଗ ମିଳିଛି । ଏହା ମୋ ଜୀବନରେ ଏକ ଅନୁଭୂତି ହୋଇ ରହିବ । ମୋ ପାଖରେ କିଛି ନଥିଲା ଭଗବାନଙ୍କ ଆଶୀର୍ବାଦରୁ ଆଜି ମୋ ପାଖରେ ସବୁ କିଛି ଅଛି । ଦେଶ ଓ ଓଡ଼ିଶାର ଉନ୍ନତୀ ଏବଂ ପ୍ରଗତି ପାଇଁ ଭଗବାନ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛି ।
ଆଗକୁ ସେ କହିଥିଲେ, ମହାକୁମ୍ଭରେ ସେବା ଦେବାକୁ ଚେଷ୍ଟା କରିଥିଲୁ । ଏହି ସେବା ମଧ୍ୟମରେ ଜୀବନରେ ବି ପରିବର୍ତ୍ତନ ଆସିଛି । ଏହା କେବଳ ଏକ ଧାର୍ମିକ ପ୍ରସଙ୍ଗ ନୁହେଁ । କର୍ପୋରେଟ ଜଗତରେ ବି ଏହାର ଅନୁଭୂତି ନେବାର ସୁଯୋଗ ମିଳିଛି । ଆଜି ପୁରୀରେ ରଥଯାତ୍ରା ସମୟରେ ଆମେ ଆଗକୁ କେମିତି ବଢ଼ି ପାରିବା ସେ ସଙ୍କଳ୍ପ ନେଇଛୁ ।
ଏହି ଅବସରରେ ରଥଯାତ୍ରାର ସଫଳ ପରିଚାଳନା ପାଇଁ ସରକାର, ପୁରୀ ପ୍ରଶାସନ, ସଫେଇ କର୍ମଚାରୀ ଓ ଅନ୍ୟମାନଙ୍କୁ ପ୍ରଶଂସା କରିଥିଲେ ଗୌତମ ଆଦାନୀ ।