ରଥଟଣାରେ ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନନ୍ଦୁଘୋଷ ବ୍ୟୁରୋ : ଶୁକ୍ରବାର ଦିନ ପୁରୀଠାରେ ରଥଟଣାରେ ହୋଇଥିବା ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ସାଇଟ ‘ଏକ୍ସ’(ପୂର୍ବରୁ ଟ୍ୱିଟର)ରେ ନିଜ ଉଦବେଗ ପ୍ରକାଶ କରି ସେ ଏଥିପାଇଁ ଚିନ୍ତାପ୍ରକଟ କରିଛନ୍ତି ।
ସେ ଲେଖିଛନ୍ତି ଯେ,‘ ଗତକାଲି ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ହେବା ପାଇଁ ଆମେ ଏଠାରେ କାହା ଉପରକୁ ଅଙ୍ଗୁଳି ଉଠାଇବାକୁ କିମ୍ବା ପ୍ରଶାସନକୁ ଦୋଷ ଦେବା ପାଇଁ ଚାହୁଁନାହୁଁ, । କିନ୍ତୁ ରାଜ୍ୟର ଏହି ପବିତ୍ର ଉତ୍ସବ ସମୟରେ ଯେଉଁ ଘଟଣା ଘଟିଲା, ତାହା ଉପରେ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହିହେଉନାହିଁ।
ଗତ ବର୍ଷ ଶ୍ରୀ ବଳଭଦ୍ରଙ୍କ ମୂର୍ତ୍ତି ଆଡ଼ପ ବିଜେ ପହାଣ୍ଡି ସମୟରେ ଖସି ପଡ଼ିଥିବା ଘଟଣା ଭୁଲିବା କଷ୍ଟକର, ଯାହା ଅସଂଖ୍ୟ ଭକ୍ତଙ୍କୁ ମର୍ମାହତ କରିଥିଲା।
ଏବେ ଚଳିତ ବର୍ଷ, ନନ୍ଦିଘୋଷ ରଥ ସିଂହଦ୍ୱାରରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିବା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗତି କରିବା, ଆମେ ଦେଖିଲୁ। ଏହା ସ୍ୱାଭାବିକ ଭାବେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ନିରାଶ ଓ ହତାଶ କରିଛି। ଖରାପ ଭିଡ଼ ନିୟନ୍ତ୍ରଣ ହେତୁ ଶତାଧିକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।
ଏସବୁ ଭିତରେ ଆମେ କେବଳ ପ୍ରାର୍ଥନା କରିପାରିବା ବୋଲି ନବୀନ କହିଛନ୍ତି । ସେ ପୁଣି ଲେଖିଛନ୍ତି ଯେ,ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥ ଏହି ବର୍ଷ ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ କ୍ଷମା କରନ୍ତୁ। ମୁଁ ଆଶା କରୁଛି ଏହା ସରକାରର ସମସ୍ତଙ୍କ ପାଇଁ ଗଭୀର ଆତ୍ମନିରୀକ୍ଷଣର କାରଣ ହେବ।