କାଲି ରତ୍ନବେଦୀ ଛାଡି ଭକ୍ତଙ୍କ ଗହଣରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ

ପୁରୀ: ରଥ ପଥ ପ୍ରସ୍ତୁତ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ସିଂହଦ୍ବାର ଆଗକୁ ଟାଣିନେଲେ ସୁରକ୍ଷା କର୍ମୀ । ପ୍ରଥମେ ନନ୍ଦିଘୋଷ, ତାପରେ ଦର୍ପଦଳନ ଓ ପରେ ତାଳଧ୍ବଜ ରଥକୁ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଲେ । କାଲି ରତ୍ନବେଦୀ ଛାଡି ଭକ୍ତଙ୍କ ଗହଣରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ସାଆନ୍ତ । ଭକ୍ତଙ୍କ ମେଳରେ ଗଡ଼ିବ ମହାପ୍ରଭୁଙ୍କ ଦିବ୍ୟ ରଥ । ଆଜି ୧୫ ଦିନର ଅଣସର ସାରି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ରଥଯାତ୍ରା ପାଇଁ ପୁରୀରେ ଜମିଲାଣି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଏବେ ଅପେକ୍ଷା କେତେବେଳେ ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବଳିଆରଭୂଜ ।