ଗୁଜରାଟ ଉପନିର୍ବାଚନ ବିଜୟକୁ ନେଇ ଆପ୍ ଖୁସୀକୁ ଲାଗିଲା ନଜର: ଜିତିବାର ୭୨ ଘଣ୍ଟା ପରେ ଦଳ ଛାଡ଼ିଲେ ନବନିର୍ବାଚିତ ବିଧାୟକ

ବୋଟାଦ: ଗୁଜରାଟର ବୋଟାଦରୁ ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ଉମେଶ ମକଓ୍ବାନା ପାର୍ଟିର ରାଷ୍ଟ୍ରୀୟ ସଂଯୁକ୍ତ ସଚିବ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ କହିଛନ୍ତି, ’ମୁଁ ୨୦ ବର୍ଷ ପର୍ଯ୍ୟନ୍ତ ବିଜେପିରେ ଅଲଗା ଅଲଗା ପଦରେ କାମ କରିଛି । ଗୁଜରାଟରେ ଆପର କୌଣସି ପରିଚୟ ନଥିବା ସମୟରେ ମୁଁ କ୍ଷମତାସୀନ ବିଜେପି ଛାଡ଼ି ଆପରେ ସାମିଲ ହୋଇଥିଲି । ମୋତେ ଲାଗୁଛି, ଆମେ ଡ. ବି.ଆର ଆମ୍ବେଦକରଙ୍କ ସିଦ୍ଧାନ୍ତ ଠାରୁ ଦୂରେଇ ଯାଉଛେ । ଏହି କାରଣରୁ ମୁଁ ଆପର ସବୁ ପଦରୁ ଇସ୍ତଫା ଦେଇଛି ।’
ଉମେଶ ପୁଣି କହିଛନ୍ତି, ମୁଁ ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ ନିଜର କାମ ଜାରି ରଖିବି । ମୁଁ ବୋଟାଦର ଲୋକଙ୍କ ପାଖକୁ ଯିବି । ମୁଁ କିଛି ଲୋକଙ୍କ ସହ ମିଶି ଅଲଗା ପାର୍ଟି ଗଠନ କରିବା, ନ କରିବା ଉପରେ ଚର୍ଚ୍ଚା କରିବି । ବିସାବଦର ଆସନରୁ ଆପର ବିଜୟର ୭୨ ଘଣ୍ଟା ମଧ୍ୟରେ ଉମେଶ ପାର୍ଟିର ପଦରୁ ଇସ୍ତଫା ଦେଇଛନ୍ତି । ଦଳ ନିଜର ମୂଳ ବିଚାରଧାରା ଠାରୁ ଦୂରେଇ ଯାଉଥିବା ସେ କହିଛନ୍ତି । ଆମ୍ବେଦକର ଓ ଭଗତ ସିଂହଙ୍କ ବିଚାରଧାରା ଠାରୁ ଦୂରେଇ ଯିବା କାରଣରୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ ଜାରି ରଖିବେ ଓ ବିଧାୟକ ହୋଇ ରହିବେ ବୋଲି କହିଛନ୍ତି ।