ବୃଦ୍ଧଙ୍କୁ ଆକ୍ରମଣ କଲେ ତିନି ଭାଲୁ, ଚାଲିଗଲା ଜୀବନ

ନନ୍ଦିଘୋଷ ବ୍ୟୁରୋ: ଭାଲୁ ଆକ୍ରମଣରେ ବୃଦ୍ଧ ମୃତ । ୩ଟି ଭାଲୁ ଏକ ସଙ୍ଗେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ କୋଳିପଶି ଗାଁ ନିକଟ ଅଟେଇ ଜଙ୍ଗଲରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ନୁନୁ ନାଏକ। ସକାଳୁ ସେ ଛେଳି ପାଇଁ ଡାଳ,ପତ୍ର ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହଠାତ୍ ୩ଟି ଭାଲୁ ଆକ୍ରମଣ କରିଥିଲେ । ଫଳରେ, ତାଙ୍କର ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ନିକଟରେ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିବା ଲୋକେ ତାଙ୍କର ଚିତ୍କାର ଶୁଣି ଘଟଣାସ୍ଥଳକୁ ଆସିଥିଲେ । ହେଲେ, ସେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।