spot_img

Latest Posts

ଇରାନର ଗୋଟିଏ ନିଷ୍ପତ୍ତିରେ ଥରି ଉଠିଲା ଆମେରିକା, ଚୀନକୁ କଲା ଗୁହାରୀ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା। ଇରାନକୁ ଧ୍ଵସ୍ତ ବିଧ୍ଵସ୍ତ କରିବାକୁ ପଣ କରିଛି ଇସ୍ରାଏଲ। ଏବଂ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଁଉଛି ବିଶ୍ବ । ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ ପରେ ପାଗଳପ୍ରାୟ ହୋଇଯାଇଛି ଇରାନ । ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଛି ଇରାନ । ତେବେ ଏହାରି ଭିତରେ ଇରାନର ଗୋଟିଏ ଧମକ ଆମେରିକାର ନିଦ ହଜାଇଦେଇଛି । ଇରାନ ପାରସ୍ୟ ଉପସାଗରକୁ ଆରବ ସାଗର ସହିତ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ଜଳପଥ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛି ଯାହା କେବଳ ଆମେରିକା ନୁହେଁ ବିଶ୍ୱର ଅନେକ ଦେଶ ଉପରେ ଚାପ ପକାଇଛି । ଯାହାର ତୁରନ୍ତ ସମାଧାନ ପାଇଁ ଚୀନକୁ ଗୁହାରୀ କରିଛି ଆମେରିକା । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚୀନକୁ ଅନୁରୋଧ କରିଛନ୍ତି ଯେ ସେ ଇରାନକୁ ହର୍ମୁଜ୍ ପ୍ରଣାଳୀ ବନ୍ଦ ନକରିବା ପାଇଁ କୁହନ୍ତୁ। ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ହମଲାକୁ ନେଇ ତେଜିଛି ସୁପରପାୱାରଙ୍କ ମଧ୍ୟରେ ବିବାଦ। ଆକ୍ରମଣକୁ ନେଇ ଇରାନ ଅତ୍ୟନ୍ତ କ୍ରୋଧିତ ଥିବା ବେଳେ ସେଠାରେ ଥିବା ଆମେରିକୀୟ ଲୋକଙ୍କୁ ଟାର୍ଗେଟ କରିବା ସହିତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛି ।

ହୋର୍ମୁଜ ପ୍ରଣାଳୀ କାହିଁକି ଗୁରୁତ୍ବପୂର୍ଣ୍ଣ ?

ଇରାନ ସଂସଦ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପାଇଁ ଏକ ପଦକ୍ଷେପକୁ ଅନୁମୋଦନ କରିଛି, ଯେଉଁ ପଥ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଏବଂ ଗ୍ୟାସ ପ୍ରବାହ ହୁଏ । ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ମାର୍କୋ ରୁବିଓ କହିଛନ୍ତି, “ମୁଁ ବେଜିଂରେ ଥିବା ଚୀନ୍ ସରକାରଙ୍କୁ ଏ ବିଷୟରେ ଇରାନ ସହ ଆଲୋଚନା କରିବାକୁ ଅନୁରୋଧ କରିଛି । କାରଣ ବିଶ୍ବର ଅନେକ ଦେଶ ତେଲ ପାଇଁ ହର୍ମୁଜ୍ ପ୍ରଣାଳୀ ଉପରେ ନିର୍ଭର କରନ୍ତି ।” ଯଦି ଇରାନ ଏହି ପଦକ୍ଷେପ ଗ୍ରହଣ କରେ ତାହେଲେ ଏହା ଆଉ ଏକ ଭୟଙ୍କର ଭୁଲ ହେବ। ଯଦି ସେମାନେ ଏହା କରନ୍ତି ତେବେ ଏହା ସେମାନଙ୍କ ପାଇଁ ଆର୍ଥିକ ଆତ୍ମହତ୍ୟା ହେବ ଏବଂ ଆମ ପାଖରେ ଏହାର ମୁକାବିଲା କରିବା ପାଇଁ ବିକଳ୍ପ ଅଛି, କିନ୍ତୁ ଅନ୍ୟ ଦେଶମାନେ ମଧ୍ୟ ଏହା ବିଷୟରେ ବିଚାର କରିବା ଉଚିତ। ଏହା ଆମ ଅପେକ୍ଷା ଅନ୍ୟ ଦେଶର ଅର୍ଥନୀତିକୁ ବହୁତ କ୍ଷତି ପହଞ୍ଚାଇବ।”

ଯଦି ଇରାନ କାର୍ଯ୍ୟାନୁଷ୍ଠାନ ନିଏ, ତେବେ ଏହା ମହଙ୍ଗା ପଡ଼ିବ: ଆମେରିକା

 ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ୧୪ଟି ବଙ୍କର-ବଷ୍ଟର ବୋମା, ୨ ଡଜନରୁ ଅଧିକ ଟୋମାହକ୍ କ୍ଷେପଣାସ୍ତ୍ର ଏବଂ ୧୨୫ରୁ ଅଧିକ ସାମରିକ ବିମାନ ବ୍ୟବହାର କରି ଇରାନର ମୁଖ୍ୟ ପରମାଣୁ ସ୍ଥାନଗୁଡ଼ିକୁ “ଧ୍ୱଂସ” କରାଯାଇଛି । ତଥାପି ଆମେରିକାର ଏହି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ଆହୁରି ତୀବ୍ର କରିପାରେ  । ୱାଶିଂଟନର ଆକ୍ରମଣ ପରେ ତେହେରାନ ନିଜକୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓ ଇରାନ ଦ୍ୱାରା ପ୍ରତିଶୋଧ ନେବା ବିରୁଦ୍ଧରେ ଚେତାବନୀ ଦେଇ କହିଛନ୍ତି ଯେ ଏପରି ପଦକ୍ଷେପ ସେମାନଙ୍କ ପାଇଁ ବଡ ଭୁଲ ହେବ । ସେ ଏହା ମଧ୍ୟ କହିଛନ୍ତି ଏହି ମାମଲାରେ ଆମେରିକା ଇରାନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ।

ଇରାନର ଧମକ ପରେ ଭାରତରେ ପରିସ୍ଥିତି କ’ଣ ?

ଇରାନର ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାର ଧମକ ମଧ୍ୟରେ ଭାରତରେ ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । ପଶ୍ଚିମ ଏସିଆରୁ ଆସୁଥିବା ତେଲ ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ, ଯାହାକୁ ଇରାନ ବନ୍ଦ କରିବାକୁ ଧମକ ଦେଉଛି । ବଢ଼ୁଥିବା ଉତ୍ତେଜନା ମଧ୍ୟରେ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, “ଆମର ତୈଳ ବିପଣନ କମ୍ପାନୀଗୁଡ଼ିକ ନିକଟରେ ଷ୍ଟକ୍ ରହିଛି ଏବଂ ସେମାନେ ଅନ୍ୟ ରୁଟ୍ ମାଧ୍ୟମରେ ଶକ୍ତି ଯୋଗାଣ ଜାରି ରଖିବେ। ଆମର ନାଗରିକମାନଙ୍କୁ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବୁ।”

ଆମେରିକାର ଆକ୍ରମଣକୁ ଚୀନର ନିନ୍ଦା

ଅନ୍ୟପକ୍ଷରେ, ଇରାନ ପରମାଣୁ ସ୍ଥଳ ଉପରେ ଆମେରିକାର ଆକ୍ରମଣକୁ ଚୀନ୍ କଡ଼ା ଭାଷାରେ ନିନ୍ଦା କରିଛି ଏବଂ କହିଛି ଯେ ଏହି ଆକ୍ରମଣ ଜାତିସଂଘ ଚାର୍ଟରର ଏକ ଗମ୍ଭୀର ଉଲ୍ଲଂଘନ ଏବଂ ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରୁଛି। ଏବଂ ବେଜିଂ ‘ସଂଘର୍ଷରେ ସାମିଲ ସମସ୍ତ ପକ୍ଷ, ବିଶେଷକରି ଇସ୍ରାଏଲକୁ ଯଥାଶୀଘ୍ର ଯୁଦ୍ଧବିରତି କରିବାକୁ ଏବଂ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇରାନ ଉପରେ ଆମେରିକାର ଆକ୍ରମଣ ଏବଂ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସୁଥିବା ଇରାନ ପରମାଣୁ ପ୍ରତିଷ୍ଠାନ ଉପରେ ବୋମା ମାଡ଼କୁ ଚୀନ୍ ଦୃଢ଼ ନିନ୍ଦା କରୁଛି। ଆମେରିକାର ଏହି କାର୍ଯ୍ୟ ଜାତିସଂଘ ଚାର୍ଟରର ଉଦ୍ଦେଶ୍ୟ ଏବଂ ନୀତି ଏବଂ ଅନ୍ତର୍ଜାତୀୟ ଆଇନର ଗମ୍ଭୀର ଉଲ୍ଲଂଘନ। ଏହି ଆକ୍ରମଣ ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

Latest Posts

Don't Miss