ସଫଳତାର ସହ ସରିଛି ନବୀନଙ୍କ ଅସ୍ତ୍ରୋପଚାର, ଆଜି ଭେଟିବେ ପ୍ରିୟଜନ

ଭୁବନେଶ୍ବର: ଗତକାଲି ସଫଳତାର ସରିଛି ଅସ୍ତ୍ରୋପଚାର । ଏବେ ଅବଜରଭେସନରେ ରହିଛନ୍ତି ଓଡ଼ିଆଙ୍କ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ। ରବିବାର ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ହୋଇଛି ନବୀନଙ୍କ ସର୍ଜରୀ । ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ସେ ଡିସଚାର୍ଜ ହେବେ । ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ । ଏହାସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ବେଳେ ଉପସ୍ଥିତ ଥିଲେ। ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି । ଗତକାଲି ନବୀନଙ୍କ ପାଖରେ ଉପସ୍ଥିତ ଥିଲେ ବଡ଼ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ ।

ଅସ୍ତ୍ରୋପ୍ରଚାର ପରେ ୪୮ ଘଣ୍ଟା ନବୀନ ଅବଜରବେସନରେ ରହିବେ ବୋଲି କହିଥିଲେ ଡାକ୍ତର । ତେବେ ଆଜି କିଛି ବିଶିଷ୍ଟ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇପାରନ୍ତି । ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦସ୍ପନ୍ଦନ ନବୀନ ପଟ୍ଟନାୟକ । ଦୈବୀ ଦୁର୍ବିପାକ ହେଉ ଅବା ଯେକୌଣସି ସମସ୍ୟା । ପ୍ରତିଟି ମୁହୁର୍ତ୍ତରେ ରାଜ୍ୟର ହିତ ପାଇଁ ଠିଆ ହୋଇଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଅସୁସ୍ଥତା ଖବର ଶୁଣି ବ୍ୟସ୍ତ ହୋଇପଡିଥିଲେ ରାଜ୍ୟବାସୀ । ମୁମ୍ବାଇରେ ନବୀନଙ୍କ ସଫଳ ଅସ୍ତ୍ରୋପ୍ରଚାର ପରେ ସଭିଏଁ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳମତ ନିର୍ବିଶେଷରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନେତା ।