ଚିକିତ୍ସା ଲାଗି ମୁମ୍ବାଇ ଗଲେ ନବୀନ, ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରି ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ

ନନ୍ଦିଘୋଷ ବ୍ୟୁରୋ: ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୨୨ ତାରିଖ ଅର୍ଥାତ ରବିବାରଠାରୁ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆଥ୍ରାଇଟିସର ଚିକିତ୍ସା ଆରମ୍ଭ ହେବ । ଖବର ଜାଣିବା ପରଠାରୁ ସାରା ରାଜ୍ୟରୁ ନବୀନଙ୍କ ଆଶୁ ଆରୋଗ୍ୟ କାମନା ସହ ଶୁଭେଚ୍ଛାର ସୁଅ ଛୁଟିଥିଲା । ଆଉ ଆଜି ସକାଳେ ସେ ଫ୍ଲାଇଟ ଧରିବାକୁ ଗଲା ବେଳେ ନବୀନ ନିବାସରୁ ଏୟାରପୋର୍ଟ ହୋଇଯାଇଥିଲା ଲୋକାରଣ୍ୟ । ଦଳୀୟ ନେତା ଓ କର୍ମୀଙ୍କ ସହ ଅଗଣିତ ମହିଳା ଏକାଠି ହୋଇ ନବୀନ ଶୀଘ୍ର ସୁସ୍ଥ ହେବା ଲାଗି ପ୍ରାର୍ଥନା କରିବା ସହ ଜଣାଇଥିଲେ ଶୁଭେଚ୍ଛା ।
ଚିକିତ୍ସା ପାଇଁ ମୁମ୍ବାଇ ଗଲା ବେଳେ ଦେଖିବାକୁ ମିଳିଥିଲା ନେତା ଓ ଜନତାଙ୍କ ନବୀନଙ୍କ ପ୍ରତି ଭଲ ପାଇବା । ସକାଳୁ ସକାଳୁ ନବୀନ ନିବାସରୁ ବିମାନ ବନ୍ଦର ଯାଏଁ ଦେଖିବାକୁ ମିଳିଥିଲା ଭିନ୍ନ ଏକ ପରିବେଶ । ଧର୍ମ, ବର୍ଣ୍ଣ, ବର୍ଗ ଓ ରାଜନୀତିର ଉପରେ ରହି ସବୁ ବର୍ଗର ଲୋକେ ନବୀନଙ୍କ ଶୁଭ ମନାସି ଥିଲେ । ଧୀରେ ଧୀରେ ଏହି ସଂଖ୍ୟା ବଢିବା ସହ ଶଙ୍ଖ ହୁଳହୁଳି ଧ୍ୱନିରେ ନବୀନ ନିବାସ କମ୍ପିଥିଲା । ପ୍ରଥମେ ଦଳୀୟ ନେତା, କାର୍ଯ୍ୟକର୍ତ୍ତା ନବୀନ ନିବାସରେ ନବୀନଙ୍କୁ ସାକ୍ଷାତ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହା ପରେ ନବୀନ ବିମାନ ବନ୍ଦର ଅଭିମୁଖେ ବାହାରିଥିଲେ । ରାସ୍ତା କଡରେ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା । ବାଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଶତାଧିକ ମହିଳା, ଯୁବ, ଛାତ୍ର ତଥା ବିଜେଡି ନେତାମାନେ ଏକାଠି ହୋଇ ଶୁଭକାମନା ଜଣାଇଥିଲେ । ସେଠାରୁ ବିରାଟ ପଟୁଆରରେ ଚାଲି ଚାଲି ଲୋକେ ବିମାନ ବନ୍ଦର ପର୍ଯ୍ୟନ୍ତ ଆଣିଥିଲେ । ରାସ୍ତାରେ ନବୀନ ଗାଡି ଭିତରୁ ହାତ ହଲାଇ ଲୋକଙ୍କ ଭଲ ପାଇବା ଗ୍ରହଣ କରିଥିଲେ ।
ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତା, ବିଧାୟକ, ସାଂସଦ ତଥା ଯୁବ, ଛାତ୍ର, ମହିଳା ନେତ୍ରୀମାନେ ନବୀନଙ୍କୁ ଫୁଲ ତୋଡା ଦେଇଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ନବୀନ ପଟ୍ଟନାୟକ ଲଙ୍ଗ ଲିଭ ଧ୍ୱନିରେ କମ୍ପିଥିଲା ବିମାନ ବନ୍ଦର ପରିସର । ନବୀନ ମଧ୍ୟ ସମସ୍ତଙ୍କୁ ପ୍ରତି ନମସ୍କାର ଜଣାଇ ପ୍ରତି ଉତ୍ତର ଦେଇଥିଲେ । ମହାପ୍ରଭୁ ଜଗନ୍ନାଥ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଓଡିଶାବାସୀଙ୍କର ପୁଣି ସେବା କରିବାର ସୁଯୋଗ ଦେବେ ବୋଲି ଦଳୀୟ ନେତା ଏହି ଅବସରରେ ଆଶା କରିଥିଲେ । ଲୋକେ ନବୀନଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱକୁ ଆଜି ବି ଝୁରି ହେଉଥିବା କୁହାଯାଇଛି ।
ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ଆଧୁନିକ ଓଡିଶାର ବିକାଶ ପୁରୁଷର ମାନ୍ୟତା ପାଇଛନ୍ତି । ତେଣୁ ନିଜର ପ୍ରିୟ ନେତାଙ୍କ ଟିକେ ଝଲକ ପାଇବା ଲାଗି ଓ ତାଙ୍କର ସୁସ୍ଥ ଜୀବନ କାମନା କରି ବିମାନ ବନ୍ଦରକୁ ଯିବା ବେଳେ ବହୁ ସାଧାରଣ ଲୋକ ମଧ୍ୟ କିଛି କ୍ଷଣ ଅଟକି ଯାଇଥିଲେ ।