ବିଜେପି ସରକାରର ବର୍ଷପୂର୍ତ୍ତିରେ ପ୍ରଧାନମନ୍ତ୍ରୀ: କହିଲେ, ଦେଶର ପେଟ୍ରୋଲିୟମ ହବରେ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଧାନୀରେ କଲେ ରୋଡ ଶୋ’ । କହିଲେ, ଓଡ଼ିଶାକୁ କରାଯିବ ପେଟ୍ରୋଲିୟମ ହବ । ବିକଶିତ ଓଡ଼ିଶା ୨୦୩୬ ଲାଗି ଭିଜନ ପ୍ରସ୍ତୁତ ହୋଇଛି । ମାଓବାଦର ଅନ୍ତ ହେବ ଓ ଓଡ଼ିଶା ବିକାଶର ଇଞ୍ଜିନ ହେବ । ଏହାସହ ୧୯ ହଜାର କୋଟି ଟଙ୍କାର ୧୦୫ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଜନତା ମୈଦାନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାକୁ ଭାରତର ପେଟ୍ରୋଲିୟମ ହବ୍ ଭାବେ ପରିଣତ କରାଯିବ । ପେଟ୍ରୋଲିୟମ କ୍ଷେତ୍ର ଲାଗି ୧ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି । ପାରାଦୀପରୁ ଝାରସୁଗୁଡା ଶିଳ୍ପ କରିଡର ହେବ । ଚଣ୍ଡିଖୋଲରେ ହେବ ଅଶୋଧିତ ତୈଳ ଗଚ୍ଛିତ ଭଣ୍ଡାର । ଗୋପାଳପୁରରେ ହେବ ଏଲଏନଜି ଟର୍ମିନାଲ । ରାଜ୍ୟର ଔଦ୍ୟୋଗିକ କ୍ଷେତ୍ର, ଖଣିର ବିକାଶ ସାଧନ କରାଯିବ । ଓଡ଼ିଶାକୁ ବୃହତ ଶିଳ୍ପଭିତ୍ତିକ ରାଜ୍ୟ ଭାବେ ଗଠନ କରିବା ଲାଗି ପଦକ୍ଷେପ ନିଆଯିବ । ଆଗକୁ କହିଥିଲେ ଓଡ଼ିଶା ଭାରତର ବିକାଶ ଇଞ୍ଜିନ ହେବ । ଓଡ଼ିଶା ପ୍ରଗତିର ବାର୍ତ୍ତାବହ ସାଜିଛି । ରାଜ୍ୟରେ ସାମାଜିକ, ଅର୍ଥନୈତିକ ପରିବର୍ତ୍ତନର ନୂଆ ଯୁଗ ଆସିଛି । କେନ୍ଦ୍ର ଓ ରାଜ୍ୟ ଯୋଜନାର ଡବଲ ଲାଭ ରାଜ୍ୟବାସୀ ପାଉଛନ୍ତି । କେନ୍ଦ୍ରର ଅନେକ ଯୋଜନାର ସୁଫଳ ଓଡ଼ିଶାବାସୀ ପାଉଛନ୍ତି । ବିଜେପି ଦେଇଥିବା ଗ୍ୟାରେଣ୍ଟିକୁ ପୂରଣ କରାଯାଉଛି । ଓଡ଼ିଶାର ୧୧ ଜିଲ୍ଲାରେ ୪୦ ଆବାସିକ ବିଦ୍ୟାଳୟ ନିର୍ମାଣ ହେଉଛି । ଧୀବରମାନଙ୍କ ଲାଗି ପିଏମ ମତ୍ସ୍ୟ ସମ୍ପଦ ଯୋଜନା କାର୍ଯ୍ୟକାରୀ କରାଯାଇଛି । ବିଜେପିର ବିକାଶ ମଡେଲ ଅନେକ ରାଜ୍ୟରେ ପ୍ରତିଫଳିତ ବୋଲି କହିଛନ୍ତି ମୋଦି ।

ଓଡ଼ିଶାର ସାମଗ୍ରିକ ବିକାଶକୁ ରାଜ୍ୟ ସରକାର ଫୋକସ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ୨୦୩୬ ଲାଗି ରାଜ୍ୟ ସରକାର ଭିଜନ ପ୍ରସ୍ତୁତ କରିଛନ୍ତି । ଯୁବ ସମାଜର ସାମର୍ଥ୍ୟରେ ଓଡ଼ିଶାକୁ ବିକାଶ ଧାରାରେ ଆଗେଇ ନିଆଯିବ । ବିକାଶର ରୋଡମ୍ୟାପ ନେଇ କାମ କରାଯାଉଛି । ଓଡ଼ିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତା, ସଂସ୍କୃତିକୁ ସମୃଦ୍ଧ କରିଛି ବୋଲି କହିଛନ୍ତି ମୋଦି ।

ସେହିପରି ମାଓବାଦକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଦେଶରେ ମାଓବାଦର ଅନ୍ତ ହେବାରେ ଲାଗିଛି । ନକ୍ସଲବାଦ ଶେଷ ହେବ । ଏହା ବିଁ ମୋଦିଙ୍କ ଗ୍ୟାରେଣ୍ଟି । ସେ କହିଛନ୍ତି, ଦେଶରେ ନକ୍ସଲ ହିଂସା ହ୍ରାସ ପାଇଛି । ଓଡ଼ିଶାରେ ବହୁ ଜନଜାତି ସମାଜ ଅଛନ୍ତି । ସେମାନଙ୍କ ବିକାଶ ଲାଗି ସରକାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଦିବାସୀ ସମାଜକୁ ହିଂସାରୁ ବାହାରକୁ ଅଣାଯାଇଛି । ସେମାନେ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନଜର ପକାନ୍ତୁ