ଇସ୍ରାଏଲ ରକେଟ ମାଡ଼ରେ ଇରାନର ପରମାଣୁ ବୈଜ୍ଞାନିକ ମୃତ

1 min read

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଘନେଇବାରେ ଲାଗିଛି ଇସ୍ରାଏଲ-ଇରାନ ଯୁଦ୍ଧ । ଅଷ୍ଟମ ଦିନରେ ଇରାନକୁ ଲାଗିଛି ଆଉ ଏକ ବଡ଼ ଝଟକା । ଇସ୍ରାଏଲ ରକେଟ ମାଡ଼ରେ ପ୍ରାଣ ହରାଇଛନ୍ତି ଇରାନର ଆଉ ଜଣେ ପରମାଣୁ ବୈଜ୍ଞାନିକ । ଇରାନ ରାଜଧାନୀ ତେହେରାନର ଗିଶା ଅଞ୍ଚଳରେ ଆଜି ସକାଳେ ହୋଇଥିବା ଜୋରଦାର ବିସ୍ଫୋରଣରେ ଜଣେ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା IDF ଏହି ଆକ୍ରମଣ କରିଥିବର ଜଣେ ଇସ୍ରାଏଲ ଅଧିକାରୀ Kan Newsରେ ଦାବି କରିଛନ୍ତି ।

ଇସ୍ରାଏଲ ଅଧିକାରୀଙ୍କ ଅନୁସାରେ, ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ଜଣେ ବରିଷ୍ଠ ବୈଜ୍ଞାନିକ ଟାର୍ଗେଟରେ ଥିଲେ । ପ୍ରାଥମିକ ସୂଚନା ଅନୁସାରେ ଏହି ଆକ୍ରମଣରେ ସମ୍ପୃକ୍ତ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି । ତେବେ ଇରାନ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଅଧିକାରୀକ ବୟାନ ଆସିନାହିଁ । ହେଲେ ଏହି ଘଟଣା ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି ।

ସେପଟେ ଇସ୍ରାଏଲ ଆକ୍ରମଣକୁ ନେଇ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଶାନ୍ତି ପାଇଁ ଏକମାତ୍ର ବାଟ ହେଲା ଇସ୍ରାଏଲ ବିନା ସର୍ତ୍ତରେ ତୁରନ୍ତ ଆକ୍ରମଣ ବନ୍ଦ କରୁ । ଯଦି ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିବ ତେବେ ଇରାନ ଏହାର ମୁହଁତୋଡ଼ ଜବାବ ଦେବ ।

ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାକଚୀ କହିଛନ୍ତି, ଯେପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣ ଜାରି ରହିବ ଆମେରିକା ଓ ଅନ୍ୟ କୌଣସି ଦେଶ ସହ ଏନେଇ ଆଲୋଚନା ହେବ ନାହିଁ । ସେ ଆଗକୁ କହିଛନ୍ତି, ଏମିତି ପରିସ୍ଥିତିରେ ଆମେ କାହା ସହ ବିଶେଷ କରି ଆମେରିକା ସହ ଆଲୋଚନା କରିବାକୁ ଚାହୁଁନାହୁଁ । ଆମେରିକା ଆମ ସହ ଏକାଧିକ ଥର ଯୋଗାଯୋଗ କରି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ହେଲେ ଆମେ ସ୍ପଷ୍ଟ କରି ଦେଇଛୁ, ଯେପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣ ଜାରି ରହିବ କୌଣସି ଆଲୋଚନା କି କୁଟନୈତିକ ସ୍ତରରେ ବୈଠକ ହେବାର ପ୍ରଶ୍ନ ଉଠୁନି ।

ସେ ଆହୁରି କହିଛନ୍ତି, ଇରାନ ଏବେ ଆତ୍ମରକ୍ଷା ସ୍ଥିତିରେ ଅଛି ଓ ନିଜର ସୁରକ୍ଷା ଆମର ଅଧିକାର । ଆମ ମିଜାଇଲର ଲକ୍ଷ୍ୟ କେବଳ ଇସ୍ରାଏଲର ସାମରିକ କେନ୍ଦ୍ର ଉପରେ ରହିଛି ନା କି ସାଧାରଣ ନାଗରିକ ଓ ହସ୍ପିଟାଲ । ଯଦି ଇସ୍ରାଏଲ ଆମ ଅର୍ଥନୈତିକ କେନ୍ଦ୍ରକୁ ଆକ୍ରମଣ କରିବ ଆମେ ବି ସେମାନଙ୍କ ଅର୍ଥନୈତିକ କେନ୍ଦ୍ରକୁ ଟାର୍ଗେଟ କରିବୁ ।

ନଜର ପକାନ୍ତୁ