ଇଂଲଣ୍ଡରେ କେମିତି ରହିବ ଟିମ୍ ଇଣ୍ଡିଆର ପ୍ରଦର୍ଶନ ?

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟ ସାଙ୍ଗକୁ ଯୁବ ଖେଳାଳି । ଇଂଲଣ୍ଡରେ କେମିତି ରହିବ ଭାରତୀୟ ଦଳର ପ୍ରଦର୍ଶନ । ଏହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ବିରାଟ, ରୋହିତ ଏବଂ ଅଶ୍ବିନୀଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ବିନା ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି ଭାରତ । ତେବେ ଦଳର ପ୍ରଦର୍ଶନ କିଭଳି ରହିବ ? ତେବେ ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ଦଳ ବିଜୟ ହାସଲ କରି ନୂଆ ରେକର୍ଡ କରିବ କି ? ସେପଟେ ଇଂଲଣ୍ଡ ଭଳି ଶକ୍ତିଶାଳି ଦଳ ବିପକ୍ଷରେ ପୁଣି ଇଂଲଣ୍ଡ ମାଟିରେ ବିଜୟ ମଧ୍ୟ ଏତେ ସହଜ ନୁହେଁ ଏହାସହ ଇଂଲଣ୍ଡ ମଧ୍ୟ ଭାରତୀୟ ଦଳକୁ ସହଜରେ ନେଇ ପାରିବ ନାହିଁ । ନିକଟରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ବହୁ ପ୍ରତିଭାବାନ ଖେଳାଳିମାନେ ଏହି ଗସ୍ତରେ ରହିଛନ୍ତି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କି, ବୁମରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଭାରତ ହେଉ କିମ୍ବା ବିଦେଶ ସବୁବେଳେ ଭାରତଙ୍କୁ ସଙ୍କଟରୁ ମୁକ୍ତ କରିଆସୁଥିବା ବୁମରା ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇ ପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ରଖିଛନ୍ତି । ବୁମରା ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟଙ୍କୁ ୯ଥର ଆଉଟ କରିଥିବାବେଳେ ବିଦେଶରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିବାର ନଜିର ରହିଛି । ଏପରିକି ଇଂଲଣ୍ଡରେ ୩୪ ଓ୍ବିକେଟ ଅକ୍ତିଆର କରିସାରିଛନ୍ତି ବୁମରା । ଏଣୁ ଆଶା ରଖାଯାଇଛି କି, ଏହି ସିରିଜରେ ସେ ୫୦ ଓ୍ବିକେଟ ଅକ୍ତିଆର କରିବା ସହ ପ୍ରଥମ ଭାରତୀୟ ବୋଲର ଭାବେ ନୂଆ ରେକର୍ଡ କରିବେ ।