ଇରାନରୁ ସ୍ବଦେଶ ଫେରିଲେ ୧୧୦ ଭାରତୀୟ

1 min read

ନନ୍ଦିଘୋଷ ବ୍ୟୁରୋ: ଇରାନରୁ ଫେରିଲେ ୧୧୦ ଜଣ ଭାରତୀୟ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କାଶ୍ମୀର ଛାତ୍ରଛାତ୍ରୀ। ଇରାନର ଉର୍ମିଆ ମେଡିକାଲ କଲେଜରେ ପଢୁଥିଲେ। ଆର୍ମେନିଆ ଏବଂ ଦୋହା ଦେଇ ସେମାନଙ୍କୁ ଭାରତ ଅଣାଯାଇଛି। ଗତକାଲି ରାତିରେ ସ୍ଵତନ୍ତ୍ର ବିମାନ ଦିଲ୍ଲୀରେ ପହଞ୍ଚିଛି। ଏବେ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଥିବାରୁ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ସେଠାରେ ଫସିଥିବା ଲୋକେ ମଧ୍ୟ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ଏହା ପରେ କେନ୍ଦ୍ର ସରକାଙ୍କ ପକ୍ଷରୁ ଅପରେସନ ସିନ୍ଧୁ କରାଯାଇଥିଲା। ଏଥିରେ ଇରାନରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଯୋଜନା ହୋଇଥିଲା। ସିଧାସଳଖ ଇରାନକୁ ଭାରତୀୟ ବିମାନ ଯିବା ସମ୍ଭବ ନ ଥିବାରୁ ପ୍ରଥମେ ଆର୍ମେନିଆ, ପରେ ଦୋହା ଦେଇ ସେମାନଙ୍କୁ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁସାରେ ଇରାନରେ ୧୩ ହଜାରରୁ ଅଧିକ ଭାରତୀୟ ଛାତ୍ର ପଢୁଛନ୍ତି। ଅଧିକାଂଶ ମେଡିକାଲ ପଢୁଛନ୍ତି।

ଛାତ୍ରମାନଙ୍କ ବ୍ୟତୀତ, ତୀର୍ଥଯାତ୍ରୀ ଓ ଅନେକ ଭାରତୀୟ ନାଗରିକ ଇରାନରେ ଫସି ରହିଛନ୍ତି। ତେହେରାନରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ସ୍ଥାପନ କରିଥିଲା ​​ଏବଂ ଭାରତୀୟମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା। ଇରାନରୁ ଫେରିଥିବା ଭାରତୀୟ ଦିଲ୍ଲୀରେ ପହଞ୍ଚିବା ପରେ ବହୁତ ଖୁସି ହୋଇଛନ୍ତି।