୩ ଜଣଙ୍କୁ ହତ୍ୟା ସହ ୧୨ ଜଣଙ୍କୁ ଅପହରଣ କଲେ ନକ୍ସଲ

ମାଲକାନଗିରି : ନକ୍ସଲଙ୍କ ବର୍ବରକାଣ୍ଡ। ୩ ଜଣଙ୍କୁ ହତ୍ୟା ସହ ୧୨ ଜଣଙ୍କୁ ଅପହରଣ କଲେ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ଜଣେ ଆତ୍ମସମର୍ପଣକାରୀ ନକ୍ସଲ ନେତାଙ୍କ ପରିବାରର ୩ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବିଜାପୁରର ପେଡ୍ଡାକୋର୍ମା ଗାଁରେ ନକ୍ସଲମାନେ ଜଣେ ଛାତ୍ର ସମେତ ୩ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାମ ଝିଙ୍ଗୁ ମୋଡିୟମ୍, ସୋମା ମୋଡିୟମ୍ ଏବଂ ଅନିଲ ମାଡଭି ବୋଲି ଜଣାପଡିଛି। ଏମାନଙ୍କ ବ୍ୟତୀତ ନକ୍ସଲମାନେ ୭ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ମାଡ଼ ମାରି ଆହତ କରିଛନ୍ତି। ନକ୍ସଲମାନେ ୧୨ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଛନ୍ତି। ନକ୍ସଲମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଦୁଇ ଜଣ ଗ୍ରାମବାସୀ ଆତ୍ମସମର୍ପଣକାରୀ ନକ୍ସଲ ନେତା ଦିନେଶ ମୋଡିୟମଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ନକ୍ସଲ ନେତା ଭେଲା ଏବଂ ତାଙ୍କ ଦଳ ଏହି ଘଟଣା ଘଟାଇଥିବା ସୂଚନା ମିଳିଛି। ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।