ରାଜ୍ୟରେ ଏବେ ମାଡ଼ିଛି ବାଡ଼ି ବୁଢିର ଭୟ,୯ଟି ଜିଲ୍ଲାରେ କାୟା ମେଲାଇଛି ଝାଡ଼ାବାନ୍ତି

ରାଜ୍ୟରେ ଏବେ ମାଡ଼ିଛି ବାଡ଼ି ବୁଢିର ଭୟ । ୯ଟି ଜିଲ୍ଲାରେ କାୟା ମେଲାଇଛି ଝାଡ଼ାବାନ୍ତି । ଏହାକୁ ଦେଖି ସବୁଠି ସଚେତନ ସାଙ୍ଗକୁ ଖାଦ୍ୟ ସାମଗ୍ରୀ ଉପରେ ରେଡ କରିଛି ସ୍ବାସ୍ଥ୍ଯ ବିଭାଗ । ହେଲେ କଟକରେ ନାଳି ପାଣି ଉପରେ ସତେ ଯେମିତି କାହାର ଦୃଷ୍ଟି ନାହିଁ । ସିଡିଏ ସେକ୍ଟର ୬ରେ ୮ ମାସହେଲା ରାସ୍ତା ଓ ବାରଣ୍ଡାରେ ଲହଡ଼ି ମାରୁଛି ଡ୍ରେନପାଣି । ବସ୍ତିର ଏହି ଦୂଷିତ ପରିବେଶ ଡାଇରିଆକୁ ଆମନ୍ତ୍ରଣ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ରାସ୍ତାରେ ଭାସୁଛି ଡ୍ରେନପାଣି । ଦୁଆର ମୁହଁରେ ଜମି ରହିଛି ଆବର୍ଜନା । ମଶା, ମାଛି, ପୋକ ସାଲୁବାଲୁ ପରିବେଶ । ଏହାରି ଭିତରେ ଛୁଆପିଲା ଧରି ରହୁଛନ୍ତି ଲୋକେ । ଏହା କୌଣସି ଗାଁ ନୁହେଁ, କଟକ ସିଡିଏ ସେକ୍ଟର ୬ର ଦୃଶ୍ୟ । ୮ ମାସ ହେଲା ଏପରି ଅସ୍ବାସ୍ଥ୍ଯକର ପରିବେଶରେ ରହୁଛନ୍ତି ୧୨୦ ପରିବାର । ଛୋଟ ଛୋଟ ପିଲା ଏହି ନାଳ ଉପରେ ବସି ନିତ୍ୟକର୍ମ କରୁଛନ୍ତି । ରାସ୍ତାରେ ନାଳପାଣି ଭାସୁଥିବାରୁ ତା ଉପରେ ଯାତାୟାତ ବି କରୁଛନ୍ତି । ରାଜ୍ୟରେ ଏବେ ବ୍ୟାପିଛି ଝାଡ଼ାବାନ୍ତି । ୯ ଜିଲ୍ଲାରେ ସ୍ଥିତି ଅଣାୟତ। ଏପରି ସ୍ଥିତିରେ କଟକର ଏହି ବସ୍ତି ଡାଇରିଆକୁ ଆମନ୍ତ୍ରଣ କରୁଥିବା କହିଛନ୍ତି ଲୋକେ
ହଇରାଣପୁର ବସ୍ତିର ପ୍ରବେଶ ଦ୍ଵାରରେ ସ୍ବେରେଜ ଡ୍ରେନ ସହ ବସ୍ତିର ନାଳ ପାଣି ସଂଯୋଗ ହୋଇଛି । କେଉଁଠି ପାଇପ ଫାଟି ମିଶୁଛି ନାଳପାଣି । ଏନେଇ ବସ୍ତି ଲୋକମାନେ ପ୍ରଥମେ ୱାଟକୋ, ପରେ ସିଏମସି ଓ ସ୍ବେରେଜ ବୋର୍ଡକୁ ଗୁହାରି କରିଛନ୍ତି । କିନ୍ତୁ ବିଭାଗ ଦୋଷକୁ ନ ମୁଣ୍ଡେଇ ଜଣେ ଅନ୍ୟ ଉପରେ ଦୋଷ ଲଦି ଚୁପ ବସିଛି । ଆଗାମୀ ଦିନରେ ସମସ୍ଯାର ସମାଧାନ ନହେଲେ ବସ୍ତିର ଲୋକେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଝାଡ଼ାବାନ୍ତି ବ୍ଯାପିଥିବାରୁ ହସପିଟାଲ ପ୍ରସ୍ତୁତ କରାଯିବା ସହ ସ୍ବାସ୍ଥ୍ଯ ବିଭାଗ ବିଭିନ୍ନ ହୋଟେଲ ଓ ଠେଲାଗାଡ଼ି ଉପରେ ଚଢାଉ କରୁଛି । ତେବେ ବସ୍ତିର ଏହି ଅବ୍ଯବସ୍ଥା ଉପରେ ସତେଯେମିତି କାହାର ନଜର ନଥିବା ଅଭିଯୋଗ କରିଛନ୍ତି ଲୋକେ ।