ଅଧିନାୟକ ହେବା ପାଇଁ ପ୍ରଥମେ ବୁମ୍ରାଙ୍କୁ ଅଫର ଦେଇଥିଲା BCCI, ତେବେ ପରବର୍ତ୍ତୀ ସମୟରେ କ’ଣ ସବୁ ଘଟିଥିଲା….

ଭାରତୀୟ କ୍ରିକେଟ ଟିମର ନବନିଯୁକ୍ତ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ବରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସନ୍ନ୍ୟାସ ଘୋଷଣା ପରେ ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ପାଇଁ ଯଶପ୍ରୀତ ବୁମ୍ରା ସବୁଠାରୁ ବଡ଼ ଦାବିଦାର ଥିଲେ । ତେବେ କ’ଣ ଏପରି ଘଟିଥିଲା ଯେ, ବୁମ୍ରା ଆଉଟ୍ ହୋଇଗଲେ ଆଉ ଗିଲଙ୍କୁ ଦାୟିତ୍ବ ମିଳିଲା? ଏହି ପ୍ରସଙ୍ଗ ଏବେ କ୍ରୀଡ଼ାପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ଏହାକୁ ନେଇ ଏବେ ନିଜେ ବୁମ୍ରା ପର୍ଦ୍ଦାଫାସ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ବୁମ୍ରାଙ୍କ କାନ୍ଧରେ ଏବେ ବଡ଼ ଦାୟିତ୍ବ ରହିବ ।

ବୁମ୍ରା କହିଛନ୍ତି, ବିସିସିଆଇ ତାଙ୍କୁ ଏକ ବଡ଼ ଅଫର ଦେଇଥିଲା । ମାତ୍ର ନିଜର ଫିଟନେସ ଓ ଟିମର ହିତ ପାଇଁ ସେ ଏହାକୁ ଗ୍ରହଣ କରିନଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ନିଜେ ବୁମ୍ରା ଏହା ଖୁଲାସା କରିଛନ୍ତି । ବିରାଟ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ଅଧିନାୟକ ପଦ ବିସିସିଆଇ ବୁମ୍ରାଙ୍କ ନାମକୁ ବିଚାରକୁ ନେଇଥିଲା । ମାତ୍ର ଏହି ଦାୟିତ୍ବ ନେବାକୁ ବୁମ୍ରା ଅଗ୍ରାହ୍ୟ କରିଦେଇଥିଲେ । ଟିମର ହିତ ପାଇଁ ବୁମ୍ରା ପ୍ରାଥମିକତା ଦେଇଥିଲେ । ଆଇପିଏଲ ସମୟରେ ବିସିସିଆଇ ଏହି ପ୍ରସଙ୍ଗରେ ବୁମ୍ରାଙ୍କ ସହ ଆଲୋଚନା କରିଥିଲା । ବୁମ୍ରା ସବୁ ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ । ତେଣୁ ଅଧିନାୟକ ପଦ ସମ୍ଭାଳିବାକୁ ସେ ପ୍ରସ୍ତୁତ ନଥିବା ବିସିସିଆଇକୁ ଜଣାଇଥିଲେ । ଜଣେ ୩ଟି ମ୍ୟାଚରେ ଅଧିନାୟକ ହେବ ଓ ବାକି ୨ଟି ମ୍ୟାଚରେ ଆଉ ଜଣେ ନେତୃତ୍ବ ନେଲେ ତାହାକୁ ଆଦର୍ଶ କୁହାଯିବ ନାହିଁ ବୋଲି ବୁମ୍ରା କହିଥିଲେ ।