ଅବ୍ୟବସ୍ଥା ଘେରରେ ଆସିକା ସରକାରୀ ବସ୍ ଷ୍ଟାଣ୍ଡ

1 min read

ଆସିକା : ଅବ୍ୟବସ୍ଥା ଘେରରେ ଆସିକା ବସଷ୍ଟାଣ୍ଡ । ରକ୍ଷଣା ବେକ୍ଷଣ ଅଭାବରୁ ଜମି ରହୁଛି ପାଣି । କାଦୁଆ ରାସ୍ତାରେ ବସଷ୍ଟାଣ୍ଡକୁ ଯାତାୟତ କରୁଛନ୍ତି ଲୋକେ । ବିଶ୍ରାମାଗାର ଓ ଶୌଚାଳୟରେ ଝୁଲୁଛି ତାଲା । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଯାତ୍ରୀ । ଜୟପୁର, କୋରାପୁଟ, ମାଲକାନଗିରି, ସୀମାନ୍ତ ରାଜ୍ୟରୁ ଲକ୍ଷ୍ମୀ ବସଠାରୁ ଆରମ୍ଭ କରି ଓଏସଆରଟିସି ବସ ଏହି ଷ୍ଟାଣ୍ଡକୁ ଆସିଥାଏ l ଯାତ୍ରୀଙ୍କ ସୁବିଧା ପାଇଁ ବ୍ଯବସାୟ ପେଣ୍ଠସ୍ଥଳୀ ଆସିକାରେ ବସଷ୍ଟାଣ୍ଡ ନିର୍ମାଣ କରାଇଥିଲେ ପୂର୍ବ ସରକାର । ହେଲେ ଏବେ ବସଷ୍ଟାଣ୍ଡର ନବ ନିର୍ମାଣ କୋଠା, ଶୌଚାଳୟରେ ତାଲା ଝୁଲୁଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ବିଶ୍ରାମାଗାରରେ ତାଲା ଝୁଲୁଥିବାରୁ ବାହାରେ ତଳେ ବସିରହି ବସକୁ ଅପେକ୍ଷା କରୁଛନ୍ତି । ଏପରିକି ରାତିରେ ଆସୁଥିବା ଯାତ୍ରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି l ରକ୍ଷଣାବେକ୍ଷଣ ପାଇଁ ରାଜ୍ଯ ସରକାର ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।

ପ୍ରତିଦିନ ଆସିକା ବସଷ୍ଟାଣ୍ଡକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ବସ ଯାତାୟତ କରିଥାଏ । ଦୈନିକ ହଜାର ହାଜର ଯାତ୍ରୀ ଯାତାୟତ ପାଇଁ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ପରିଚାଳିତ ଓଏସଆରଟିସି ବସରେ ଯିବା ଆସିବା କରିଥାନ୍ତି । ଗମନାଗମନର ସୁବିଧା ପାଇଁ ପୂର୍ବ ସରକାର ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ବସ୍ ଷ୍ଟାଣ୍ଡର ନିର୍ମାଣ କରାଯାଇଥିଲା । ୨୦୨୪ ମସିହାରେ ବସଷ୍ଟାଣ୍ଡର ଲୋକାର୍ପଣ ମଧ୍ୟ ସରିଛି । ହେଲେ ଉଦଘାଟନ ପରଠାରୁ ଏଠାରେ ତାଲା ଝୁଲୁଛି । ଏହା ଲୋକଙ୍କ କାମରେ ଆସୁନି । ଯାହାକୁ ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି l ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ଖୁବ ଶୀଘ୍ର ବସ ଷ୍ଟାଣ୍ଡର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ।