ଧୀରେ ଧୀରେ ସୁଧୁରୁଛି ଭଦ୍ରକ ସ୍ଥିତି, ସଂଧ୍ୟା ୬ଟା ପରେ ଇଣ୍ଟରନେଟ୍ ସେବା ସ୍ବାଭାବିକ

ଭଦ୍ରକ : ଧୀରେ ଧୀରେ ସୁଧୁରୁଛି ଭଦ୍ରକ ସ୍ଥିତି । ହେଲେ ପୁଣି ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ କରିଥିଲା ପ୍ରଶାସନ । ଗତକାଲିଠୁ ୩୬ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ହେବାଯୋଗୁ ସମସ୍ୟାରେ ଥିଲେ ସହରବାସୀ । ନାମ ଲେଖାଠୁ ନେଇ  ନିଯୁକ୍ତି ଆବେଦନ ଓ ଖବର ପାଇବାରେ ହଇରାମ ହୋଇଥିଲେ ଛାତ୍ରଛାତ୍ରୀଙ୍କ ସମେତ ଚାକିରି ଆଶାୟୀ । ଠପ୍ ହୋଇଥିଲା କାରବାର । ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ଚାଲିଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଭୋଗିଛନ୍ତି ନାହିଁ ନଥିବା ଅସୁବିଧା । ଆଇଆଇଟି ଓ ଏନଆଇଟିରେ ଆଡ଼ମିଶନ ସମ୍ପର୍କିତ ଖବର ମିଳିବାରେ ସମସ୍ୟା ଯୋଗୁ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସେହିପରି ଅନଲାଇନ୍‌ ଯୋଗେ ଆଧାରକାର୍ଡ଼ ସଂଶୋଧନ, ପାର୍ସପୋର୍ଟ ସେବା ପାଇଁ ଆବେଦନ ହୋଇପାରୁନଥିଲା । ଦୂରଦୂରନ୍ତରୁ ଜିଲ୍ଲା ମୁଖ୍ୟାଳୟକୁ ଆସୁଥୁବା ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡୁଥିଲା ।

ଇଣ୍ଟରନେଟ ସେବା ବନ୍ଦ ଯୋଗୁ ଲୋକେ ଅନଲାଇନ ଯୋଗେ ଜିନିଷପତ୍ର ମଗାଇପାରିନାହାନ୍ତି । ରାତି ପାହିଲେ ରଜ ଥିବାରୁ କିଣାବିକା ମଧ୍ୟ ହୋଇପାରିନଥିଲା ।  ଯାହାର ସିଧାସଳଖ ପ୍ରଭାବ ପଡ଼ିଥିବା ବ୍ୟବସାୟ କ୍ଷେତ୍ରରେ । ତେବେ ପରିସ୍ଥିତିରେ ସୁଧାର ଅସୁଥିବାରୁ ସଂଧ୍ୟା ୬ଟାରୁ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଥିବା କହିଛନ୍ତି ଭଦ୍ରକ ଏସପି । କଷଟି ଗୁଜିଦରଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସନ୍ତୋଷ ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଭଦ୍ରକରେ ଦେଖା ଦେଇଥିଲା ଆଇନଶୃଙ୍ଖଳା ପରିସ୍ଥିତି । ସ୍ଥିତି ବିଗିଡ଼ିବା ଆଶଙ୍କା କରି ୩୬ ଘଣ୍ଟା ଧରି ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା । ଶୁକ୍ରବାର ସଂଧ୍ୟା ୬ଟା ପରେ ଅନଲାଇନ୍ ସେବା ସ୍ବାଭାବିକ ହୋଇଛି ।