ଯାଜପୁରରେ ଝାଡାବାନ୍ତିର କାରଣ ଖୋଜି ପାଉନି ସ୍ବାସ୍ଥ୍ୟ ବିଭାଗ, ୪ ଦିନ ପରେ ବି ନିୟନ୍ତ୍ରଣକୁ ଆସିନି ସ୍ଥିତି

ନନ୍ଦିଘୋଷ ବ୍ୟୁରୋ : ବର୍ଷପୂର୍ତ୍ତି ଉତ୍ସବ ମନାଇବାରେ ବ୍ୟସ୍ତ ରାଜ୍ୟ ସରକାର । ସେପଟେ ଚୁଲିକୁ ଗଲାଣି ସ୍ବାସ୍ଥ୍ୟ ସେବା । ୪ଦିନ ହେଲା ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି । ପାଖାପାଖି ୬୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲାଣି । ହେଲେ ଏଯାଏଁ ସ୍ପଷ୍ଟ ହୋଇନି ଝାଡାବାନ୍ତିର ପ୍ରକୃତ କାରଣ । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଜିଲ୍ଲାରେ ୧୦ ଜଣ ଗତ ଚାରି ଦିନରେ ଝାଡିବାନ୍ତିରେ ମୃତ୍ୟୁବରଣ କରିସାରିଲେଣି । କିନ୍ତୁ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଉନି । ଆବଶ୍ୟକ ସଂଖ୍ୟକ ବେଡ ନଥିବାରୁ ରୋଗୀଙ୍କୁ ଚଟାଣରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଏଥିସହିତ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବାରୁ ମେଡିକାଲରୁ ଘରକୁ ଫେରିବା ପରେ ପୁଣି ବାନ୍ତିଝାଡ଼ା ହେଉଛି ଓ ବାରମ୍ବାର ମେଡିକାଲକୁ ଆସିବାକୁ ପଡୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ଜିଲ୍ଲାର ଛଅଟି ଭିନ୍ନ ଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିଥିବାରୁ କାରଣ ଗୋଟିଏ ନୁହେଁ । ତେଣୁ ପାଣି ଉତ୍ସରୁ ଝାଡାବାନ୍ତି ବ୍ୟାପିଥିବା ଆଶଙ୍କା କରାଯାଉଛି । କିନ୍ତୁ ଏଯାଏଁ ସ୍ବାସ୍ଥ୍ୟ ବିଭାଗ ପ୍ରକୃତ କାରଣ ସ୍ପଷ୍ଟ କରିନାହିଁ । ହେଲେ ଜିଲ୍ଲାରେ ଏକାଧିକ ମେଡିକାଲ ଟିମ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରୁଛି । ନଳକୂଅ ଓ ପାଣି ଟାଙ୍କିର ବିଶୁଦ୍ଧିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସେହିଭଳି କାଲିଠୁ ରଜ ପର୍ବ ଆରମ୍ଭ ହେଉଥିବା ସଂକ୍ରମିତ ଅଞ୍ଚଳରେ ପିଠାପଣାରୁ ଦୂରେଇ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି । ଏଥିସହିତ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହା ଭିତରେ ଝାଡାବାନ୍ତି ସୀମା ଡେଇଁ ପଡୋଶୀ କେନ୍ଦୁଝର ଓ ଭଦ୍ରକରେ ପଶିଲାଣି । କାରଣ ଏଠାରୁ ମଧ୍ଯ ଝାଡାବାନ୍ତିରେ ଆକ୍ରାନ୍ତ ହେବାର ଖବର ଆସୁଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ କରୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।