ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଶ୍ବଶୁର ଓ ଶାଶୁଙ୍କୁ ନିସ୍ତୁକ ମାଡ଼ ମାରିଲେ ବାପଘର ଲୋକେ

ସୋର : ବାଲେଶ୍ବର ସୋରରେ ଅଭାବନୀୟ ଘଟଣା। ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଶ୍ବଶୁର ଓ ଶାଶୁଙ୍କୁ ନିସ୍ତୁକ ମାଡ଼ ମାରିଲେ ବାପଘର ଲୋକେ। ଝିଅକୁ ଜ୍ବାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ୨୦୧୬ ମସିହାରେ କାନ୍ଥଗଡିଆର କୃପାସିନ୍ଧୁ ମଲ୍ଲିକଙ୍କ ପୁଅ ରାଜେନ୍ଦ୍ରଙ୍କୁ ପ୍ରେମ ବିବାହ କରିଥିଲେ ସିମୁଳିଆ ଥାନା କ୍ଷୀରକୋଣା ଗାଁର ପ୍ରହଲ୍ଲାଦ ଦାସ ଓ ସରସ୍ବତୀଙ୍କ ଝିଅ ରୁନାମଣି ଦାସ। ଗତକାଲି ଝିଅ ଘରକୁ ରଜଭାର ନେଇ ଯାଇଥିଲେ ମା’ ସରସ୍ବତୀ। କିନ୍ତୁ ଆଜି ସକାଳେ ଝିଅର ମୃତ୍ୟୁ ହୋଇଥିବା ନେଇ ଖବର ପାଇଥିଲେ। ସୋର ଡାକ୍ତରଖାନାରେ ମୃତଦେହ ଦେଖିଥିଲେ ପରିବାର ଲୋକେ। ଏହି ସମୟରେ ଉପସ୍ଥିତ ଥିବା ମୃତ ରୁନାର ଶାଶୁ ଓ ଶଶୁରଙ୍କୁ ବାନ୍ଧି ମାଡ଼ ମାରିବା ସହ ଅଟକ ରଖିଥିଲେ ବାପଘର ଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଶାଶୁ ଓ ଶଶୁରଙ୍କୁ ଉଦ୍ଧାର କରିଥିଲା। ଘଟଣାରେ ଜ୍ବାଇଁ ରାଜେନ୍ଦ୍ରକୁ ଫାଶି ଦେବାକୁ ଦାବି କରିଛନ୍ତି ମୃତ ରୁନାର ବାପଘର ଲୋକେ।