କାଲି ବିଜେଡିର ରାଜ୍ୟ କର୍ମକର୍ତ୍ତା ବୈଠକ, ରାଜ୍ୟ ସରକାରଙ୍କ ମିଛର ପର୍ଦ୍ଦାଫାସ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ବିଜେଡିର ରାଜ୍ୟ କର୍ମକର୍ତ୍ତା ବୈଠକ । ଶଙ୍ଖ ଭବନରେ ହେବାକୁ ଥିବା ଏହି ବୈଠକର ଅଧ୍ୟକ୍ଷତା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏ ନେଇ ଆଜି ଶଙ୍ଖ ଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁଥିରେ କର୍ମକର୍ତ୍ତା ବୈଠକ ପାଇଁ ସ୍ଥିର ହୋଇଛି ରୋଡମ୍ୟାପ । ବିଜେପି ସରକାରର ଏକ ବର୍ଷର ବିଫଳତା ସମ୍ପର୍କରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ନବୀନ । ସରକାରଙ୍କ ବିଫଳତା ନେଇ ଲୋକଙ୍କୁ କିପରି ଭାବେ ସଚେତନ କରାଯିବ, ସେ ନେଇ ଗୁରୁମନ୍ତ୍ର ଦେବେ ନବୀନ ।

ବୈଠକରେ ସମସ୍ତ କମିଟି ସଦସ୍ୟଙ୍କ ସହ ୨୦୨୪ ନିର୍ବାଚନର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ନବୀନଙ୍କୁ ସ୍ବାଗତ କରିବାକୁ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ସରକାରଙ୍କ ବିଫଳତା ସମ୍ପର୍କରେ ଦଳୀୟ କର୍ମୀ ଓ ନେତାଙ୍କୁ ସଚେତନ କରାଇବେ ନବୀନ । ବିଜେପି ସରକାରର ଏହି ଏକ ବର୍ଷ ବିଫଳତାର ବର୍ଷ ବୋଲି ଅଭିଯୋଗ କରିଛି ବିଜେଡି । ଭତ୍ତା ବିଫଳତା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅନାହାର ମୃତ୍ୟୁ, ପୋଲାଭରମ, ମହାନଦୀ, ଓବିସି ସଂରକ୍ଷଣ, ମଦ ମୃତ୍ୟୁ, ବାଟବଣା ତଦନ୍ତ ରିପୋର୍ଟ ଭଳି ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରିବାକୁ ନବୀନ ଦେବେ ଗୁରୁମନ୍ତ୍ର । ସେହିପରି ବିଜେପି ସରକାର କହୁଛି, ରାଜ୍ୟରେ ଦୁର୍ନୀତି ହେଉନି । ହେଲେ ଜଣେ ଆଇଏଏସ୍ ଅଫିସରଙ୍କ ଘରୁ ଜବତ ହେଉଛି ୪୭ ଲକ୍ଷ ଟଙ୍କା । କିପରି ରାଜ୍ୟ ସଚିବାଳୟ ଦୁର୍ନୀତିର ଉତ୍ସ ପାଲଟିଛି, ତାହା ଉପରେ ଆଲୋଚନା କରାଯିବ । ବିଜେପି ସରକାର ଯେଉଁ ବର୍ଷ ପୂର୍ତ୍ତିର ସଫଳତା ନେଇ ଡିଣ୍ଡିମ ପିଟି ଉତ୍ସବ କରିବାକୁ ଯାଉଛନ୍ତି, ତାହାକୁ ବିଫଳତାର ବର୍ଷ ଭାବେ ପର୍ଦ୍ଦାଫାଶ କରିବ ବିଜେଡି ।

ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ କରିଥିଲେ ଅନେକ ଯୋଜନା । କିନ୍ତୁ ସରକାର ବଦଳିବା ପରେ ଯୋଜନାର ନାଁ ଓ ରଙ୍ଗ ବଦଳାଇବାରେ ଲାଗିପଡ଼ିଛି ବିଜେପି । ବର୍ଷକ ଭିତରେ ବିଜେପି ଲୋକଙ୍କ ପାଇଁ କାମ କମ, ଡ୍ରାମା ଅଧିକ କରିଛି ବୋଲି ଜାଣି ସାରିଲେଣି ଜନତା । ଯେଉଁଥିପାଇଁ ସରକାର ନଥିବା ଭଳି ଲୋକେ ଅନୁଭବ କଲେଣି ବୋଲି ବିଜେଡି କହିଛନ୍ତି । ଦିନକୁ ଦିନ ସରକାର ବିରୋଧୀ ସ୍ବର ତେଜୁଥିବା ବେଳେ, ଏହାକୁ ବିଜେଡି ଆହୁରି ଶାଣିତ କରିବ ବୋଲି ଦଳ କହିଛି ।