ମେ’ରେ ବଜ୍ରପାତ ନେଇଛି ୧୯୯ ଜୀବନ
1 min read
ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢାଇଛି ବଜ୍ରପାତ । ଆକାଶରୁ ନିଆଁ ସାଜିଛି ଖସୁଛି କାଳ । ମେ’ ମାସରେ ସାରାଦେଶରେ ବଜ୍ରପାତ ନେଇଛି ୧୯୯ ନିରୀହ ଜୀବନ । ଏ ନେଇ ସଦ୍ୟ ପ୍ରକାଶ ପାଇଥିବା IMD ରିପୋର୍ଟ ବଢ଼ାଇଛି ଉଦବେଗ ।
ଚଳିତବର୍ଷ ମେ’ ମାସରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସାରା ଦେଶରେ ପାଖାପାଖି ୨୬୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ, କେବଳ ବଜ୍ରପାତରେ ହିଁ ୧୯୯ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଦେଶର ୧୯ଟି ରାଜ୍ୟ ଭିତରେ ଓଡିଶା ବି ରହିଛି । ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଝାଡଖଣ୍ଡ, ବିହାର, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆସାମ, ଗୁଜରାଟ, କେରଳ, ପଞ୍ଜାବ, ଚଣ୍ଡୀଗଡ଼ ସହିତ ଜାମ୍ମୁ ଓ କାଶ୍ମୀର ଏହି ତଥ୍ୟରେ ଅନ୍ତର୍ଭୁକ୍ତ ଅଛି ।
ତେବେ ମେ’ ମାସରେ ମୌସୁମୀ ଜନିତ ବର୍ଷା ପାଇଁ ଲୋକେ ବିଲରେ ଦିନ ସମୟରେ ଚାଷରେ ବ୍ୟସ୍ତ ରହୁଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହେଉଛି । ହେଲେ ବିଜୁଳି ଘଡ଼ଘଡ଼ି ଓ ବଜ୍ରପାତ ହେଲେ କେହି ସୁରକ୍ଷିତ ସ୍ଥାନକୁ ଯିବାକୁ ବେଶୀ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ବଜ୍ରପାତ ଜନିତ ମୃତ୍ୟୁ ଅଧିକ ହୋଇଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି । ତେବେ ଦେଶର ୧୯ଟି ରାଜ୍ୟ ଭିତରୁ ଓଡିଶା ପରିପ୍ରେକ୍ଷୀରେ ଉତ୍ତର ଓଡିଶା, ଦକ୍ଷିଣ ଓଡିଶା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବଜ୍ରପାତ ଜନିତ ମୃତ୍ୟୁ ମାମଲା ଚଳିତବର୍ଷ ସାମ୍ନାକୁ ଆସିଛି ।