୧୧ ଜୁନରେ ମହାକାଶରେ ଇତିହାସ ଲେଖିବେ ଭାରତୀୟ ମହାକାଶଚାରୀ ଶୁଭାଶୁଂ ଶୁକ୍ଲା
1 min read
ନନ୍ଦିଘୋଷ ବ୍ୟୁରୋ: ଜୁନ ୧୦ ଓ ୧୧ ତାରିଖକୁ ଅପେକ୍ଷା । ମହାକାଶରେ ଇତିହାସ ଲେଖିବାକୁ ଯାଉଛନ୍ତି ଜଣେ ଭାରତୀୟ ମହାକାଶଚାରୀ । ସେ ହେଉଛନ୍ତି ଭାରତର ମହାକାଶ ଯାତ୍ରୀ ଗ୍ରୁପର କ୍ୟାପଟେନ୍ ଶୁଭାଶୁଂ ଶୁକ୍ଲା । ଜୁନ ୧୧ ତାରିଖ ଅପରାହ୍ନ ୧୨ଟା ୩୦ରେ ସେ ଅନ୍ତରାଷ୍ଟ୍ରିୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ପହଞ୍ଚିବେ । ଭାରତ ଓ ଆମେରିକାର ସହଯୋଗରେ ଚାଲିଥିବା ମିଶନ ଏକ୍ସ-୪ର ଏହା ଏକ ଅଂଶ । ଆସନ୍ତୁ ଜାଣିବା ଶୁଭାଶୁଂଙ୍କ ଏହି ଯାତ୍ରାକୁ ନେଇ ଟିକନିକ ଖବର ।
ସୂଚନାଯୋଗ୍ୟ, ଜୁନ ୮ ତାରିଖରେ ଏହି ମିଶନ ଆରମ୍ଭ ହେବାର ଥିଲା । ପାଗ ଖରାପ ଓ ମହାକାଶ ଯାନର ଅନ୍ତିମ ପ୍ରସ୍ତୁତିକୁ ନେଇ ଏହାର ସମୟ ବଦଳାଯାଇ ଜୁନ ୧୦ ତାରିଖ ରଖାଯାଇଛି । ନାଶା ଓ ସ୍ପେସ ଏକ୍ସ ଟିମ୍ ପକ୍ଷରୁ କୁହାଯାଇଛି ପାଗରେ ପରିବର୍ତ୍ତନ ଓ ଫାଲକନ-୯ ରକେଟ ଏବଂ ଡ୍ରାଗନ ଯାନର ପରିବହନ ପ୍ରକ୍ରିୟାକୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଇଛି । ଏବେ ଏହା ଜୁନ ୧୦ ତାରିଖରେ ଲଞ୍ଚ ହେବ ଓ ୧୧ ତାରିଖରେ ଆଇଏସଏସରେ ପହଞ୍ଚିବ ।
ଏକ୍ସ-୪ ମିଶନ ସ୍ପେସ ଏକ୍ସର ୫୩ତମ ଡ୍ରାଗନ ମିଶନ । ଏହା ୧୫ତମ ମାନବ ମହାକାଶ ମିଶନ ଓ ୪୮ତମ ଆଇଏସଏସ ଯାତ୍ରା ହେବାକୁ ଯାଉଛି । ସୂଚନାଯୋଗ୍ୟ, ଭାରତର ମହତ୍ବାକାଂକ୍ଷୀ ଗଗନଯାନ କାର୍ଯ୍ୟକ୍ରମର ଯାତ୍ରୀଙ୍କ ମଧ୍ୟରେ ଶୁଭାଶୁଂ ଶୁକ୍ଲା ଜଣେ । ଭାରତ ଏହି ମିଶନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୪୮ କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ଏଥିରେ ମହାକାଶ ଯାନ ଲଞ୍ଚ ସହ ଶୁଭାଶୁଂ ଏବଂ ତାଙ୍କ ବ୍ୟାକଅପ୍ ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟରଙ୍କ ଟ୍ରେନିଂ ମଧ୍ୟ ରହିଛି । ପ୍ରଶାନ୍ତ ନାୟର ମଧ୍ୟ ଗଗନଯାନ କାର୍ଯ୍ୟକ୍ରମର ଏକ ଅଂଶ । ଶୁଭାଶୁଂ ସ୍ପେସ ଏକ୍ସ ଓ ଏକ୍ସିଓମ ସ୍ପେସରୁ ବିଶେଷ ଟ୍ରେନିଂ ନେଇଛନ୍ତି ।
ଆଇଏସଏସ ପହଞ୍ଚିବା ପରେ ଶୁଭାଶୁଂ ୭ଟି ପ୍ରୟୋଗ କରିବାକୁ ଯାଉଛନ୍ତି । ଯାହା ଭାରତ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏଥିରେ ଅଧିକାଂଶ ଜୈବିକ ପ୍ରୟୋଗ ରହିଛି । ଯେମିତି କି ଗଛର ମଞ୍ଜିକୁ ଗଜା କରିବା ଓ ମଣିଷ ଶରୀରର ସୁକ୍ଷ୍ମ ଗୁରୁତ୍ବାକର୍ଷଣର ପ୍ରଭାବ । ଏହାବାଦ ନାଶା ସହ ମିଶି ୫ଟି ପ୍ରୟୋଗ କରିବେ ଶୁଭାଶୁଂ । ଯାହା ମାନବ ଅନୁସନ୍ଧାନ ସହ ଜଡ଼ିତ । ଇସ୍ରୋର ପ୍ରୋଜେକ୍ଟ ଡାଇରେକ୍ଟର ସୁଦୀଶ ବଲନ କହିଛନ୍ତି, ଭାରତୀୟ ବୈଜ୍ଞାନିକ ଏହି ପ୍ରୟୋଗକୁ ପ୍ରସ୍ତାବିତ କରିଛନ୍ତି । ନାଶା ସହ ମିଶା ୫ଟି ପ୍ରୟୋଗ କରାଯିବ ।
ସୂଚନାଯୋଗ୍ୟ, ଏକ୍ସ-୪ ମିଶନରେ ବ୍ୟବହାର ହେବାକୁ ଯାଉଥିବା ଡ୍ରାଗନ ମହାକାଶ ଯାନ ସମ୍ପୂର୍ଣ୍ଣ ନୂଆ । ସ୍ପେସ ଏକ୍ସର ଡ୍ରାଗନ ମିଶନ ମ୍ୟାନେଜମେଣ୍ଟ ଡାଇରେକ୍ଟର ସାରା ଓ୍ବାକର କହିଛନ୍ତି, କ୍ରୁ ମେମ୍ବରର ଦ୍ବାରା ଏହି ଯାନକୁ ଏକ ନାମ ଦିଆଯିବ । କମାଣ୍ଡର ପେଗି ହ୍ବିଟସନ ଗତ ସପ୍ତାହରେ କହିଥିଲେ ଶୀଘ୍ର ନୂଆ ନାଁ ଘୋଷଣା କରାଯିବ ।
ତେବେ ସ୍ପେସ ଏକ୍ସ ମାଲିକ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦର ପ୍ରଭାବ ଏହି ମିଶନ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା । ତେବେ ନାଶା ଓ ଏକ୍ସିଓମ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିବାଦର ପ୍ରଭାବ ମିଶନ ଉପରେ ପଡ଼ିବ ନାହିଁ । ମିଶନ ପୂର୍ବ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ ହେବ ।
ଶୁଭାଶୁଂ ଶୁକ୍ଲାଙ୍କ ଏହି ମିଶନ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଗଗନଯାନ ମିଶନ ପାଇଁ ତାଙ୍କର ଏହି ଅଭିଜ୍ଞତା ବହୁତ କାମରେ ଲାଗିବ । ୧୧ ଜୁନରେ ସେ ଯେବେ ଆଇଏସଏସ ସହ ଯୋଡ଼ି ହେବେ, ସେ ସମୟରେ ପୂରା ଭାରତ ତାଙ୍କ ସହ ଥିବ । ଏହି ମିଶନ ନା କେବଳ ବୈଜ୍ଞାନିକ ପ୍ରୟୋଗ ଆଣିବ ତାହା ନୁହେଁ ଭାରତୀୟ ମହାକାଶ ବିଜ୍ଞାନ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।