ୟୁକ୍ରେନକୁ ଛାରଖାର କଲାଣି ରୁଷ : ୪୦୭ ଡ୍ରୋନ୍ ସମେତ ୪୫ଟି କ୍ଷେପଣାସ୍ତ୍ର ମାଡ଼

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଉପରେ ରୁଷର ଜବରଦସ୍ତ ହମଲା । ୟୁକ୍ରେନର ଡ୍ରୋନ ହମଲାର ଜବାବ ମିସାଇଲରେ ଦେଇଛି ରୁଷିଆ। ଋଷ ୪୦୦ରୁ ଅଧିକ ଡ୍ରୋନ୍ ଏବଂ ୪୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । ୟୁକ୍ରେନର ପ୍ରାୟ ସମସ୍ତ ପ୍ରମୁଖ ଅଞ୍ଚଳ ଉପରେ ଆକ୍ରମଣ କରିଛି ରୁଷ । ୟୁକ୍ରେନର ଭୋଲିନ୍, ଲ୍ଭିଭ୍, ଟେର୍ନୋପିଲ୍, କିଭ୍, ସୁମି, ପୋଲ୍ଟାଭା, ଖମେଲନିସିଟି, ଚେର୍କାସି ଏବଂ ଚେର୍ନିହିଭେରକୁ ଛାରଖାର କରିଦେଇଛି ଋଷିଆ । ମାତ୍ର ତିନି ଘଣ୍ଟା ମଧ୍ୟରେ, ରୁଷ ୟୁକ୍ରେନ ଉପରେ ୪୦୭ ଡ୍ରୋନ୍ ଏବଂ ୪୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଯେଉଁଥିରେ କିଭ୍ ରେ ତିନି ଜଣ ପ୍ରାଣ ହରାଇବା ସହିତ ବହୁ ଲୋକ ଆହତ ହୋଇଛନ୍ତି ।

ୟୁକ୍ରେନ ଦ୍ୱାରା ରୁଷିଆ ଏୟାରବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ଏହି ଆକ୍ରମଣ କରିଛି ଋଷିଆ । ୟୁକ୍ରେନର ଆକ୍ରମଣ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାଧ୍ୟମରେ ଚେତାବନୀ ଦେଇଥିଲେ ଯେ କଡ଼ା ଜବାବ ଦିଆଯିବ । ଏବଂ ଶେଷରେ ଏହା ହିଁ ଘଟିଛି । ରୁଷିଆ ରାତାରାତି ୟୁକ୍ରେନର ନଅଟି ଭିନ୍ନ ଭିନ୍ନ ଅଞ୍ଚଳରେ ମିସାଇଲ ପକାଇଛି, ଯେଉଁଥିରେ ନାଟୋ ଏବଂ ୟୁରୋପୀୟ ସଂଘ ସୀମା ସଂଲଗ୍ନ ଲ୍ଭିଭ୍ ଏବଂ ଭୋଲିନ୍ ଭଳି ପଶ୍ଚିମ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି ।

ଆକ୍ରମଣ ପରେ ରୁଷିଆର ପ୍ରତିକ୍ରିୟା

ଆକ୍ରମଣ ପରେ, କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ସ୍ପଷ୍ଟ ଭାବରେ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ଏବେ ଆମ ପାଇଁ ଅସ୍ତିତ୍ୱର ପ୍ରଶ୍ନ। ଆମର ଜାତୀୟ ସୁରକ୍ଷା ପାଇଁ, ଆମ ପିଲାମାନଙ୍କ ଭବିଷ୍ୟତ ପାଇଁ ଏବଂ ସମଗ୍ର ଦେଶ ପାଇଁ। ତାଙ୍କର ପ୍ରତିକ୍ରିୟା ଦର୍ଶାଉଛି ଯେ, ରୁଷ ଏବେ ଏହି ଯୁଦ୍ଧକୁ କେବଳ ସୀମା ବିବାଦ ନୁହେଁ ତାହା ଠାରୁ ଅଧିକ ଭାବୁଛି ।

ଜେଲେନ୍ସକି କ’ଣ କହିଥିଲେ?

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ରୁଷର ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ରୁଷ ଯୁଦ୍ଧ ଶେଷ କରିବାକୁ ଚାହୁଁନାହିଁ। ସେ ପଶ୍ଚିମ ଦେଶମାନଙ୍କୁ ରୁଷ ଉପରେ ଚାପ ବୃଦ୍ଧି କରିବା ଏବଂ ଏହାର ସାମରିକ କ୍ଷମତାକୁ ସୀମିତ କରିବା ପାଇଁ ନିବେଦନ କରିଛନ୍ତି। ଜେଲେନ୍ସକି ଶାନ୍ତି ଆଲୋଚନା ପାଇଁ ରୁଷର ସର୍ତ୍ତଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ପୁରୁଣା ଅଲ୍ଟିମେଟମ୍ ବୋଲି କହିଛନ୍ତି, ଯେଉଁଥିରେ ୟୁକ୍ରେନର ଚାରୋଟି ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା, ପଶ୍ଚିମ ସହାୟତା ବନ୍ଦ କରିବା ଏବଂ ନାଟୋରେ ଯୋଗ ନଦେବା ଦାବି ଅନ୍ତର୍ଭୁକ୍ତ ।

ଶାନ୍ତି ଆଲୋଚନାରେ କ’ଣ ହେଇଥିଲା ?

ଆଲୋଚନାର ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି। ତୁର୍କୀରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ମଧ୍ୟ ବିନା ନିଷ୍ପତ୍ତିରେ ଶେଷ ହୋଇଥିଲା। ରୁଷର ଆକ୍ରମଣାତ୍ମକ କାର୍ଯ୍ୟ ଏବେ ଦର୍ଶାଉଛି ଯେ କୂଟନୈତିକ ଉପାୟରେ ଶାନ୍ତିର ଆଶା ବର୍ତ୍ତମାନ ମଳିନ ପଡ଼ିଛି। ଆମେରିକା ଏବଂ ତୁର୍କୀ ଭଳି ଦେଶ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ବେଳେ, ରୁଷର ଅସ୍ତିତ୍ୱଗତ ଚିନ୍ତା ଆଲୋଚନାର ପଥକୁ ଆହୁରି କଷ୍ଟକର କରୁଛି ।