ଏସସି-ଏସଟିଙ୍କୁ ନିଃସ୍ଵ କରିବାକୁ ସରକାରଙ୍କ ଭୟଙ୍କର ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ଆଦିବାସୀଙ୍କ ଜମି ସରକାର କିଣିବା ବିବାଦ ଧୀରେ ଧୀରେ ତେଜିବାରେ ଲାଗିଛି । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଅଭିଯୋଗ କରିଛନ୍ତି, ଆଦିବାସୀଙ୍କୁ ନିଃସ୍ଵ କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି ସରକାର । ଶିଳ୍ପପତିଙ୍କ ହାତରେ ମୂଲ୍ୟବାନ ଖଣିଜ ସମ୍ପଦ ଟେକି ଦେବାରେ ଆଦିବାସୀମାନେ ଯେଉଁ ବାଧା ସାଜିଛନ୍ତି, ସେଥିପାଇଁ ସରକାର ଆଦିବାସୀଙ୍କ ଜମି କିଣି ସହଜରେ କର୍ପୋରେଟ ହାତକୁ ଟେକି ଦେବାକୁ ଚକ୍ରାନ୍ତ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଦାବି କରିଛନ୍ତି, ସରକାର ତୁରନ୍ତ ଏହି ନିଷ୍ପତ୍ତିରୁ ଓହରି ଯାଆନ୍ତୁ । ବିଜେଡି ଓ ବାମଦଳ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ରାଜ୍ୟ ସରକାର ଏସସି ଏସଟି ଜମି କିଣିବା ନିଷ୍ପତ୍ତି ବହୁତ ଭୟଙ୍କର । ଏହାଦ୍ଵାରା ଆଦିବାସୀ ଓ ଗରିବଙ୍କ ଅବସ୍ଥା ଆହୁରି ଖରାପ ହେବ । ସେମାନଙ୍କୁ ନିଃସ୍ଵ କରିବାକୁ ଏହା ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର । ଏପରି କଡ଼ା ଭାଷାରେ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଏକ ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି, ଶିଳ୍ପସଂସ୍ଥା ଓ ଶିଳ୍ପପତିଙ୍କ ସ୍ଵାର୍ଥ ପାଇଁ ରଚାଯାଇଛି ଏହି ଷଡ଼ଯନ୍ତ୍ର । ଏଥିରୁ ଓହରି ଯିବାକୁ ଦାବି କରିଛନ୍ତି ଶ୍ରୀକାନ୍ତ । ଏହାସହ ପ୍ରସ୍ତାବ ଦେଇ କହିଛନ୍ତି, ଏସସି ଏସଟିଙ୍କ ପାଇଁ ରାଜ୍ୟ ସରକାର ଏକ କର୍ପସ ଫଣ୍ଡ ଗଠନ କରନ୍ତୁ । ଏହି ଫଣ୍ଡ ସେମାନଙ୍କ ସ୍ୱାସ୍ଥ୍ୟ ଓ ସାମାଜିକ କାର୍ଯ୍ୟରେ ଲଗାଯାଉ । ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଉ ଏହାକୁ ଗ୍ରାଣ୍ଟ ଆକାରରେ ଗରିବ ଲୋକଙ୍କୁ ଦିଆଯିବ । ଏସସି ଏସଟିଙ୍କ ଜମି କିଣିବା ନିଷ୍ପତ୍ତିରୁ ରାଜ୍ୟ ସରକାର ନ ଓହରିଲେ ଆଗାମୀ ଦିନରେ ଭୟଙ୍କର ସ୍ଥିତି ହେବ ବୋଲି ଚେତାଇ ଦେଇଛନ୍ତି ଶ୍ରୀକାନ୍ତ ।
ବିଜେଡି ମଧ୍ୟ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି । ଜୁନ ୧୨ରେ ରାଜ୍ୟର ବିଜେପି ସରକାରକୁ ବର୍ଷେ ପୂରିବ । ଏହି ବର୍ଷେ ଭିତରେ ବିଜେପି କ’ଣ ଗୋଟିଏ କାମ କରି ଦେଖାଇଲେଣି କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା ଉମା ସାମନ୍ତରାୟ । ଏସସି ଏସଟି ସରଳ ନିରୀହ ଲୋକ । ସେମାନଙ୍କ ଅର୍ଥନୈତିକ ଉନ୍ନତି ପାଇଁ ପୂର୍ବର ନବୀନ ସରକାର ସବୁ ବେଳେ କାମ କରୁଥିଲେ । କିନ୍ତୁ ବର୍ତ୍ତମାନର ସରକାର କେବଳ ଭାଷଣ ମାରୁଛନ୍ତି । ଏମାନେ କର୍ପୋରେଟ ଏଜେଣ୍ଟ । ଜମି ନେଇ କର୍ପୋରେଟ ସଂସ୍ଥାକୁ ବିକିବା ପାଇଁ ବାଟ ତିଆରି କରିଛନ୍ତି ସରକାର । ଏହା ସରକାରଙ୍କ ଏକ ବଡ଼ ମସୁଧା ।
ସିପିଆଇଏମଏଲ୍ କହିଛି, ଏହା ହେଉଛି ସରକାରଙ୍କର ଏକ ଚାଲ୍ । ଖଣିଜ ପଦାର୍ଥକୁ ଲୁଟ କରିବାକୁ ଜମି ଅଧିଗ୍ରହଣ ଯେଉଁ ବିଳମ୍ବ ହେଉଛି, ବିରୋଧ ହେଉଛି, ତାକୁ ଏଡାଇବାକୁ ଏହି ଷଡ଼ଯନ୍ତ୍ର । କମ୍ପାନୀଙ୍କୁ ସରକାରଙ୍କ ଦ୍ୱାରା ଜମି ଦେବା ପାଇଁ ଏଭଳି ଚକ୍ରାନ୍ତ କରାଯାଉଛି । ଦେଓମାଳିଠୁ ଗନ୍ଧମାର୍ଦ୍ଧନ ଯାଏ ହେଉଛି ସିଡ୍ୟୁଲ ଅଞ୍ଚଳ । ଏହି ଅଞ୍ଚଳରେ ଜମି ନେବାକୁ ହେଲେ ଗ୍ରାମସଭାର ଅନୁମତି ଆବଶ୍ୟକ । ଏସବୁରୁ ମୁକୁଳିବା ପାଇଁ ଏହା ସରକାରଙ୍କ ଲୁକ୍କାୟିତ ଏଜେଣ୍ଡା ରହିଛି । ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହୋଇଥିବା ବେଳେ ଆଦିବାସୀଙ୍କ ବିରୋଧରେ ଏଭଳି ଚକ୍ରାନ୍ତକୁ ନିନ୍ଦା କରାଯାଉଛି ।
ରାଜ୍ୟରେ ମହିଳା ବିରୋଧୀ ହିଂସା, ଅପରାଧ ବଢ଼ି ଚାଲିଥିବା ବେଳେ ତାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି । ତୁରନ୍ତ ମହିଳା କମିଶନ ଗଠନ କରିବାକୁ ଦାବି ହୋଇଛି ।