ଲାଲୁଙ୍କ ବଡ଼ ଆକ୍ସନ: ବଡ଼ ପୁଅ ତେଜ ପ୍ରତାପ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ

1 min read

ନନ୍ଦିଘୋଷ ବ୍ୟୁରୋ: ଆରଜେଡି ନେତା ତେଜ ପ୍ରତାପ ଯାଦବଙ୍କ ବିରୋଧରେ ବାପା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ଆକ୍ସନ । ଦଳରୁ ୬ ବର୍ଷ ପାଇଁ ବହିଷ୍କାର କଲେ ଲାଲୁ । ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ଲାଲୁ ।

ସୋସିଆଲ ମିଡିଆ ଆକାଉଣ୍ଟ Xରେ ଲାଲୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ବ୍ୟକ୍ତିଗତ ଜୀବନର ନୈତିକ ମୂଲ୍ୟବୋଧରେ ଅଧୋପତନ ସାମାଜିକ ନ୍ୟାୟ ପାଇଁ ସାମୂହିକ ଲଢ଼େଇକୁ ଦୁର୍ବଳ କରିଥାଏ । ବଡ଼ ପୁଅର କାମ, ଚାଲି ଚଲଣ, ଆଚରଣ ଓ ଦାୟିତ୍ଵହୀନ ବ୍ୟବହାର ଆମ ପରିବାର ମୂଲ୍ୟବୋଧ ଓ ସାମାଜିକ ସଂସ୍କାର ପରିପନ୍ଥି ଅଟେ । ଏପରି ପରିସ୍ଥିତିରେ ତେଜପ୍ରତାପଙ୍କୁ ପରିବାର ଓ ପାର୍ଟିରୁ ଦୂର କରାଯାଉଛି । ଆଜିଠୁ ପାର୍ଟି ଓ ପରିବାରରେ ତେଜପ୍ରତାପଙ୍କ କୌଣସି ଭୂମିକା ରହିବ ନାହିଁ । ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଉଛି । ନିଜ ବ୍ୟକ୍ତିଗତ ଜୀବନର ଭଲ ମନ୍ଦ, ଦୋଷ ଗୁଣ ଦେଖିବାରେ ସେ ନିଜେ ସକ୍ଷମ । ଯେଉଁମାନେ ତାଙ୍କ ସହିତ ସଂପର୍କ ରଖୁଛନ୍ତି, ସେମାନେ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନିଅନ୍ତୁ । ମୁଁ ସବୁବେଳେ ସାମାଜିକ ଜୀବନ ଓ ଲୋକାଚାରକୁ ସମ୍ମାନ ଦେଇଥାଏ ବୋଲି ଲେଖିଛନ୍ତି ଲାଲୁ ପ୍ରସାଦ ଯାଦବ ।

କିଛି ଦିନ ତଳେ ତେଜ ପ୍ରତାପ ଏକ ସୋସିଆଲ ମିଡିଆ ପୋଷ୍ଟରେ ନିଜ ପ୍ରେମ କାହାଣୀ ବଖାଣିଥିଲେ । ଫେସବୁକରେ ଏକ ଝିଅର ଫଟୋ ସହିତ ନିଜ ଫଟୋ ପୋଷ୍ଟ କରି ସେଥିରେ ତେଜ ପ୍ରତାପ ଲେଖିଥିଲେ, ସେମାନେ ୧୨ ବର୍ଷ ହେଲାଣି ରିଲେସନସିପରେ ଅଛନ୍ତି । କିନ୍ତୁ ୨୦୧୮ରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଦାରୋଗା ରାୟଙ୍କ ନାତୁଣୀ ଐଶ୍ଵର୍ଯ୍ୟାଙ୍କୁ ବାହା ହୋଇଛନ୍ତି ତେଜପ୍ରତାପ । ତାଙ୍କର ଫେସବୁକ ପୋଷ୍ଟକୁ ନେଇ ସାରା ବିହାରରେ ହଙ୍ଗାମା ହୋଇଥିଲା । ପରେ ଅବଶ୍ୟ ସେ ସଫେଇ ଦେଇଥିଲେ ଯେ, ତାଙ୍କ ଆକାଉଣ୍ଟକୁ ହ୍ୟାକ୍ କରାଯାଇ ଏପରି ପୋଷ୍ଟ କରାଯାଇଛି । ଆଗକୁ ଆସୁଛି ବିହାର ବିଧାନସଭା ନିର୍ବାଚନ । ଦଳ ବଦନାମ ହେବା ଆଶଙ୍କାରେ ବଡ଼ ପୁଅ ତେଜପ୍ରତାପଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଲାଲୁ ପ୍ରସାଦ ଯାଦବ ।