ଦିଲ୍ଲୀ ଏନସିଆରରେ ବର୍ଷାର ତାଣ୍ଡବ, ୧୦୦ ବିମାନ ଯାତ୍ରା ପ୍ରଭାବିତ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀ ଏନସିଆର ଅଞ୍ଚଳରେ ପାଣି ଜମିଥିବା ଖବର ଆସି ପହଞ୍ଚିଛି । ଦିଲ୍ଲୀରେ ମୋତି ବାଗ୍, ମିଣ୍ଟୋ ରୋଡ, ବିମାନବନ୍ଦର ଟର୍ମିନାଲ ନିକଟରେ ପାଣି ଜମିବା ଯୋଗୁ ସମସ୍ୟା ବଢ଼ି ଯାଇଛି । ରାସ୍ତାରେ ପାଣି ଜମି ରହିଥିବା ଯୋଗୁ ଯାନବାହନ ଚଳାଚଳରେ ବହୁ ଅସୁବିଧା ହେଉଛି । ମିଣ୍ଟୋ ରୋଡରେ ପ୍ରବଳ ପାଣି ଜମିବା ଯୋଗୁ କାର୍ ବୁଡ଼ି ଯାଇଛି ।

ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ୧ରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବିମାନବନ୍ଦର ଚାରିପାଖରେ ପ୍ରବଳ ପାଣି ଜମି ରହିଛି । ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ବି ସୃଷ୍ଟି ହୋଇଛି । ଝଡ଼ ଏବଂ ବର୍ଷା ଯୋଗୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ଯାତ୍ରା ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ୨୫ରୁ ଅଧିକ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଛି । ଅନେକ ବିମାନ ଆସିବାକୁ ବି ବିଳମ୍ବ ହେଉଛି । ବିଭିନ୍ନ ସ୍ଥାନରେ ଗଛ ପଡ଼ିଛି । ଷ୍ଟ୍ରିଟ ଲାଇଟ ଜଳୁନାହିଁ । ବିଦ୍ୟୁର ଯୋଗାଣ ବାଧାପ୍ରାପ୍ତ ହୋଇଛି । ବହୁତ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ହୋଇଛି । ଶନିବାର ରାତିରୁ ଏହି ବର୍ଷା ଲାଗି ରହିଛି । ଯଦି ଏପରି ଆଉ ଦିନେ କି ଦୁଇ ଦିନ ଲାଗି ରୁହେ ତାହାଲେ ପରିସ୍ଥିତି ଖରାପ ହୋଇପାରେ ।