ଲାତେହାରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ, ନକ୍ସଲ ନିପାତ
1 min read
ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡରେ ନକ୍ସଲ ଏନକାଉଣ୍ଟର। ଲାତେହାରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟି ପପୁ ଲୋହରା ନାମକ ମାଓବାଦୀକୁ ନିପାତ କରିଛି ପୋଲିସ। ଜେଜେଏମପି ମୁଖ୍ୟ ପପୁ ଲୋହରାର ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଝାଡ଼ଖଣ୍ଡ ସରକାର। ଏସପି କୁମାର ଗୌରବଙ୍କ ନେତୃତ୍ୱରେ CRPF ଏବଂ ଝାଡ଼ଖଣ୍ଡ ପୋଲିସର ମିଳିତ ଟିମ ଏହି ରେଡ୍ କରିଥିଲା।
ଲାତେହାର ଜିଲ୍ଲାର ଇଚାୱର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ଅନ୍ୟ ଜଣେ ନକ୍ସଲ ପପୁ ଗଂଜୁକୁ ମଧ୍ୟ ଏନକାଉଣ୍ଟର କରିଛି ପୋଲିସ। ପପୁ ଗଂଜୁ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। କମ୍ବିଂ ଅପରେସନ ଚାଲିଥିବାବେଳେ ଗୁଳିବିନିମୟ ଘଟି ଉଭୟ ନିହତ ହୋଇଛନ୍ତି।
ଜେଜେଏମପି ସୁପ୍ରିମୋ ପପୁ ଲୋହାରା ତାଙ୍କ ସଂଗଠନ ସଦସ୍ୟମାନଙ୍କ ସହିତ ଇଚ୍ଛାୱାର ଜଙ୍ଗଲରେ ଏକ ବଡ଼ ଘଟଣା ଘଟାଇବାକୁ ଯୋଜନା କରୁଥିବା ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀକୁ ଦେଖିବା ପରେ ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏହି ଏନକାଉଣ୍ଟରରେ ପପୁ ଲୋହାରା ସମେତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।