ଜ୍ୟୋତି ମାଲହୋତ୍ରାଙ୍କୁ ଆହୁରି ଘାଣ୍ଟିବ ହରିୟାଣା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ହରିୟାଣା ପୋଲିସର ଦ୍ଵିତୀୟ ଦଫା ରିମାଣ୍ଡରେ ଜ୍ୟୋତି ମାଲହୋତ୍ରା। ଏଥର ୪ ଦିନିଆ ରିମାଣ୍ଡରେ ନେବାକୁ ହିସାର ଜିଲ୍ଲା କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ସରିବା ପରେ ଜ୍ୟୋତିଙ୍କୁ କୋର୍ଟରେ ହାଜର କରାଇଥିଲା ପୋଲିସ ଏବଂ ପୁଣି ଥରେ ହେପାଜତକୁ ନେଇ ଜେରା କରିବାକୁ ଅନୁମତି ମାଗିଥିଲା। କୋର୍ଟ ଅନୁମତି ଦେଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ପ୍ରିୟଙ୍କାଠାରୁ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ। ଘଣ୍ଟା ଚକଟା କରି ତଥ୍ୟ ଓଗାଳିବ ତଦନ୍ତକାରୀ ଟିମ୍। ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ଜ୍ୟୋତିଙ୍କ ଲିଙ୍କ୍ ଥିଲା କି, କେମିତି ସଂପର୍କ ହୋଇଥିଲା, ଜ୍ୟୋତିଙ୍କ ଛଡ଼ା ଆଉ କାହାର ଲିଙ୍କ କଥା ସେ ଜାଣିଛନ୍ତି କି, ପାକିସ୍ତାନ ଗସ୍ତ ବେଳେ କାହାକୁ ସେ ଭେଟିଥିଲେ, ଭାରତରେ କାହାକୁ ଭେଟିଥିଲେ ଏହି ସବୁ ତଥ୍ୟ ଓଗାଳିବ ହରିୟାଣା ପୋଲିସ । ନୂଆଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ ସହିତ ଜ୍ୟୋତିଙ୍କ ଫଟୋ ସାମ୍ନାକୁ ଆଗରୁ ଆସିଥିଲା।
ଏହାରି ଭିତରେ ହରିୟାଣା ପୋଲିସର ଏକ ବିବୃତି ପୁରା ଘଟଣାକୁ ଗୋଳମାଳିଆ କରିଦେଇଛି। ପାକିସ୍ତାନକୁ ଭାରତର ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ଗତ ୧୬ ତାରିଖରେ ଗିରଫ କରିଥିଲା ହିସାର ପୋଲିସ। କିନ୍ତୁ ଏଯାଏ ପୋଲିସ ପାଖରେ ଏହାର ପକ୍କା ପ୍ରମାଣ ନାହିଁ। ପୋଲିସ ନିଜ ବିବୃତିରେ କହିଛି ଯେ, ଜ୍ୟୋତି ମାଲହୋତ୍ରା କିଛି ପିଆଇଓଙ୍କ ସହ ଯୋଗାଯୋଗରେ ଥିଲେ। କିଛି ସୂଚନା ଆଦାନପ୍ରଦାନ ହୋଇଥିଲା। କିନ୍ତୁ ଜ୍ୟୋତିଙ୍କ ପାଖରେ ସେମିତି କିଛି ସାମରିକ କିମ୍ଵା ଗୁଇନ୍ଦା ସୂଚନା ନାହିଁ, ଯାହା ସେ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଇଥିବେ। କୌଣସି ସାମରିକ ପ୍ରତିଷ୍ଠାନ ସହିତ ତାଙ୍କର ସଂପୃକ୍ତି ନାହିଁ। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚରୁ ଟଙ୍କା କାରବାରର ମଧ୍ୟ ପକ୍କା ପ୍ରମାଣ ନାହିଁ। ତାଙ୍କ ଆକାଉଣ୍ଟକୁ ବଡ଼ ଆକାରର ଟଙ୍କା ଆସିନାହିଁ। କୌଣସି ଆତଙ୍କବାଦୀ ସଂଗଠନ ସହିତ ମଧ୍ୟ ଜ୍ୟୋତିଙ୍କର ସିଧାସଳଖ ସଂପୃକ୍ତିର କୌଣସି ପକ୍କା ପ୍ରମାଣ ଏଯାଏ ମିଳି ନାହିଁ।
ଏକଥା ସତ ଯେ, ସେ ପାକିସ୍ତାନ ଗସ୍ତ କରିଥିଲେ ଏବଂ ବଡ଼ ବଡ଼ ହୋଟେଲରେ ରହିଥିଲେ। କୁହାଯାଉଛି, ତାଙ୍କ ଟ୍ରିପ୍ କୁ ପାକିସ୍ତାନ ତରଫରୁ ସ୍ପୋନସର୍ କରାଯାଇଥିଲା। ଏପରିକି ସେ ଚୀନ ମଧ୍ୟ ଯାଇଥିଲେ। ଜଣେ ପାକିସ୍ତାନୀ ଯୁବକଙ୍କୁ ବାହା ହେବାର ପ୍ରମାଣ ବି ଏପର୍ଯ୍ୟନ୍ତ ମିଳି ନାହିଁ। ଗଣମାଧ୍ୟମରେ ପ୍ରଥମେ ଚର୍ଚ୍ଚା ହୋଇଥିଲା ଯେ, ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇ ତାଙ୍କୁ ବାହା ହେବାକୁ ଚାହୁଁଥିଲେ ଜ୍ୟୋତି। ଏହାର ପକ୍କା ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନାହିଁ। … ଏହାକୁ ପୋଲିସ ପକ୍ଷରୁ ଭିତ୍ତିହୀନ ଖବର ବୋଲି କୁହାଯାଇଛି । ଯେହେତୁ ଜ୍ୟୋତି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଥିଲେ, ତାଙ୍କ ଜରିଆରେ ପ୍ରୋପାଗାଣ୍ଡା ଚଳାଇବାକୁ ଚାହିଁଥିଲା ପାକିସ୍ତାନ। ଭାରତ ବିରୋଧରେ ଓ ପାକିସ୍ତାନ ସପକ୍ଷରେ ପ୍ରଚାର କରିବାକୁ ଜ୍ୟୋତିକୁ ମୋହରା ବନା ହୋଇଥାନ୍ତା। ତା ଆଗରୁ ସେ ଧରାପଡ଼ିଗଲେ। ପହଲଗାଁଓ ଆକ୍ରମଣ ପାଇଁ ପର୍ଯ୍ୟଟକଙ୍କୁ ଦାୟୀ କରି ସେ ଏକ ଭିଡିଓ ଛାଡ଼ି ଥିଲେ ବୋଲି ମଧ୍ୟ କୁହାଯାଉଛି।