ଯାତାୟତ ପାଇଁ ବ୍ରିଜ ନାହିଁ, ଭରସା ସାଜିଛି ବାଉଁଶ ପୋଲ

ଘଟଗାଁ : ଗାଁକୁ ବଜାର ଯା ଆସ ପାଇଁ ବ୍ରିଜ୍ଟିଏ ନାହିଁ । ବାଉଁଶ ଧଡ଼ାକୁ ଭରସା କରିଛନ୍ତି ଲୋକେ । ଆଜି ବି ଜୀବନକୁ ବାଜି ଲଗାଇ ବିପଦସଂକୁଳ ସ୍ଥିତିରେ ଯା ଆସ କରୁଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବାଘୁଆଖମଣ ସାହିର ୧୮ରୁ ଅଧିକ ପରିବାରର ଲୋକେ । ହେଲେ ନା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉଛି ନା ସ୍ଥାନୀୟ ବ୍ଲକ ପ୍ରଶାସନ । କାହା ଆଖିକୁ ବି ଦେଖାଯାଉନି ଲୋକଙ୍କର ଏପରି ଦଶା । ନାଳ ଉପରେ ବ୍ରିଜଟିଏ ନଥିବାରୁ ନିଜସ୍ବ ଉଦ୍ୟମରେ ଲୋକେ ଏପରି ବାଉଁଶ ପୋଲ କରି ଯିବା ଆସିବା କରୁଛନ୍ତି ।
ନାଳ ପାର ହେଲେ ସ୍କୁଲ, ଡାକ୍ତରଖାନା ଓ ନିତିଦିନିଆ ବଜାରକୁ ଯାଇ ହେବ । ହେଲେ ବର୍ଷା ଦିନ ଆସିଲେ ଅବସ୍ଥା ଆହୁରି ସାଂଘାତିକ ହୁଏ । ବାଉଁଶ ପୋଲରେ ତ ଯା ଆସ କରିହୁଏନି । ୧୫ କିଲୋମିଟର ବୁଲି ପଞ୍ଚାୟତ ଓ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡେ଼ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଗରିବଙ୍କ କଥା ଶୁଣୁଛି କିଏ ? ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ ଏପରି ଦୁର୍ଦ୍ଦଶାରେ ଅଛନ୍ତି । ସ୍ଥାୟୀ ପୋଲଟିଏ ପାଇଁ ଦୀର୍ଘ ଦିନରୁ ଦାବି ହେଉଛି । କିନ୍ତୁ ପ୍ରଶାସନ ଏକ ପ୍ରକାର ସ୍ଥାଣୁ । ସେପଟେ ଏ ନେଇ ବ୍ଲକ୍ ବିଡିଓ ମୁହଁ ଖୋଲିବାକୁ ନାରାଜ ।