ନିଜ ସୁରକ୍ଷା ନେଇ ଚିନ୍ତିତ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା

ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବେ ନିଜ ସୁରକ୍ଷା ନେଇ ଚିନ୍ତିତ। ଆକ୍ରମଣରୁ ବର୍ତ୍ତିବା ଲାଗି ଦେଶରେ ଗୋଲଡେନ ଡୋମ ମିସାଇଲ ସିଲଡ ସିଷ୍ଟମ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆସନ୍ତା ତିନି ବର୍ଷରେ ଏହି ଯୋଜନା ରୂପରେଖ ନେବ । ଏଥିଲାଗି ପ୍ରାରମ୍ଭିକ ଭାବେ ଖର୍ଚ୍ଚ ହେବ ୨୫ ବିଲିୟନ ଡଲାର । ମୋଟ ବଜେଟ ପରିମାଣ ରହିବ ୧୭୫ ବିଲିୟନ ଡଲାର । ସ୍ବଦେଶୀ କାରିଗରିଭିତ୍ତିରେ ଏହି ସିଷ୍ଟମ ପ୍ରତିଷ୍ଠା ହେବ । ଦେଶବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଟ୍ରମ୍ପ । ଏହି ସିଷ୍ଟମ କାର୍ଯ୍ୟକାରୀ ହେଲେ ପୃଥିବୀର ଯେ କୌଣସି ଦିଗରୁ ଆସୁଥିବା ମିସାଇଲକୁ ଖସାଇଦିଆଯାଇପାରିବ । ଏପରିକି ସ୍ପେସରୁ ଆସୁଥିବା କ୍ଷେପଣାସ୍ତ୍ରକୁ ବି ନଷ୍ଟ କରିଦିଆଯାଇପାରିବ । ଏହି କାର୍ଯ୍ଯକ୍ରମର ମୁଖ୍ୟ ହେବେ ୟୁଏସ ସ୍ପେସ ଫୋର୍ସ ଜେନେରାଲ ମାଇକେଲ ଗୁଟଲିନ । ବଡ଼କଥା ହେଉଛି ଆମେରିକାର ଏହି ଅଭିଯାନରେ ବି ସାମିଲ ହେବ କାନାଡା । ଏହି ବଜେଟ ପରିମାଣ ଆସନ୍ତା ୨୦ ବର୍ଷ ମଧ୍ୟରେ ୫୪୨ ବିଲିୟନ ଡଲାର ଟପିବ ବୋଲି ସୂଚନା ମିଳିଛି। ବାଲିଷ୍ଟିକ ମିସାଇଲ କ୍ଷେତ୍ରରେ ଆମେରିକାକୁ ଚୀନ ଟକ୍କର ଦେଉଥିବାବେଳେ ରୁଷ ବି ଇଣ୍ଟରକଣ୍ଟିନେଣ୍ଟାଲ ରେଞ୍ଜ ମିସାଇଲ ସିଷ୍ଟମ ବିକଶିତ କରୁଛି। ଏହାକୁ କାଉଣ୍ଟର କରିବା ଲାଗି ଆମେରିକା ଏହି ପଦକ୍ଷେପ ନେଇଛି। ଗୋଲଡେନ ଡୋମ ହେଉଛି ମଲ୍ଟିଲେୟାର ଡିଫେନ୍ସିଭ ସିଷ୍ଟମ। ବାଲିଷ୍ଟିକ, ହାଇପରସୋନିକ ଓ କ୍ରୁଜ ମିସାଇଲରୁ ଦେଶକୁ ରକ୍ଷା କରିବ।

ନଜର ପକାନ୍ତୁ