ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରସଙ୍ଗରେ ବିଜେପିର ପଛଘୁଞ୍ଚା, ୨୪ ଘଣ୍ଟାରେ ଟଙ୍କା ଫେରସ୍ତ କରିବାକୁ ମାରିଥିଲେ ବାହାସ୍ଫୋଟ 

ନନ୍ଦିଘୋଷ ବ୍ୟୁରୋ: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରସଙ୍ଗରେ ପଛଘୁଞ୍ଚା ଦେଉଛି ବିଜେପି । କ୍ଷମତାକୁ ଆସିଲେ ୨୪ ଘଣ୍ଟାରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ନିର୍ବାଚନ ସମୟରେ ବାହାସ୍ଫୋଟ ମାରିଥିଲେ ବିଜେପି ରାଜ୍ୟ ସଭାପତି ଓ ଅନ୍ୟ ନେତା । ଦିନ କେଇଟା ପରେ ବିଜେପି ସରକାର ବର୍ଷେ ପୂର୍ତ୍ତି ପାଳନ କରିବାକୁ ଯାଉଛି । ହେଲେ ଏଯାଏଁ ଜମାକାରୀଙ୍କ ତଥ୍ୟ ସଂଗ୍ରହ କରିପାରିନାହାନ୍ତି ।

ବର୍ଷ ପୂର୍ତ୍ତି ଉତ୍ସବ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପ୍ରଶ୍ନ କରାଯିବାରୁ ଚାଉଳ ଚୋବାଇଲା ଭଳି କହୁଛନ୍ତି, ଜମାକାରୀଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ବିଜେପିର ଏଭଳି ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି ବିରୋଧୀ । ଏ ପ୍ରସଙ୍ଗରେ ବିଜେପି ସଭାପତିଙ୍କୁ କଡା ସମାଲୋଚନା କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ସରକାରରେ ଥାଇ କାଗଜପତ୍ର ସଂଗ୍ରହ କରିବା କଥା କାହାକୁ କହୁଛନ୍ତି । ନିଜ କାନ୍ଧରୁ ଜୁଆଳି ଖସାନ୍ତୁ ନାହିଁ । ସବୁ କଥାରେ ୨୪ ବର୍ଷକୁ ଦୋଷ ହେଲେ ହେବନି । ଯାହା କରିପାରୁଛ ତାକୁ ନେଇ ବାହାବା ନେଉଛ ଆଉ ନକରିପାରିଲେ ୨୪ ବର୍ଷକୁ ଦୋଷ ଦେଉଛ । ଏବେ ବିଜେପି ସରକାରରେ ଅଛି । ଚିଟଫଣ୍ଡ କାଗଜ ଖୋଜିବା ଦାୟିତ୍ଵ ସରକାରଙ୍କ ଓ ଖୋଜନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେପଟେ କଂଗ୍ରେସ ମଧ୍ୟ ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛି । ଚିଟଫଣ୍ଡ ସଂସ୍ଥା ଦ୍ଵାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ କହିଛି, ବିଜେପି ସଭାପତି ଫାର୍ସ କରୁଛନ୍ତି । ଆର୍ଥିକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଭଣ୍ଡଉଛନ୍ତି ।