ସରିଛି ବାହାଘର, ଯାଇ ପାରୁନାହାନ୍ତି ବରଯାତ୍ରୀ : ପିଣ୍ଡାରେ ପଡ଼ି ରହିଛନ୍ତି…

ନନ୍ଦିଘୋଷ ବ୍ୟୁରୋ: ବରଯାତ୍ରୀ ନାଚକୁ ନେଇ ତୁମୁଳ କାଣ୍ଡ । ବରଯାତ୍ରୀ ଆସିଥିବା ବସକୁ ଭାଙ୍ଗିଲେ କନ୍ୟାଘର ଗାଁ ଲୋକ । ଗତକାଲି ରାତିଠାରୁ ପଡ଼ୋଶୀ ଘର ବାରଣ୍ଡାରେ ପଡ଼ିରହିଛନ୍ତି ବର ଓ ବରଯାତ୍ରୀ । ଅଭିଯୋଗ ଅନୁଯାୟୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳର ରାକେଶ ପରିଡାଙ୍କ ପୁଅ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନ ଅନ୍ତର୍ଗତ ଜରି ଅଞ୍ଚଳର ସୁରେନ୍ଦ୍ର ସାମଲଙ୍କ ଝିଅଙ୍କୁ ବିବାହ କରିବା ପାଇଁ ନିଜ ସମ୍ପର୍କୀୟଙ୍କ ସହ ଆସିଥିଲେ | ପ୍ରୋସେସନରେ ନାଚକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ପିଟ ଲାଗିବା ସହ ବରଯାତ୍ରୀ ଆସିଥିବା ବସକୁ ସମ୍ପୂର୍ଣ୍ଣରୂପେ ଭାଙ୍ଗିଦେଇଥିଲେ କନ୍ୟାପକ୍ଷ ଲୋକ । ତେଣୁ ଗତକାଲି ରାତିରୁ ବିବାହ ସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବରକନ୍ୟାଙ୍କ ସହ ପ୍ରାୟ ୫୦ରୁ ଅଧିକ ବରଯାତ୍ରୀ ଅଟକି ରହିଛନ୍ତି । ଅନ୍ୟପଟେ ଏ ନେଇ ବରଘର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ କ୍ଷତିପୁରଣ ଦାବି କରିଛନ୍ତି । ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।