ପାକିସ୍ତାନରେ ଲସ୍କର ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ଗୁଳି କରି ହତ୍ୟା କଲେ ଅଜ୍ଞାତ ବ୍ୟକ୍ତି, ଭାରତରେ ୩ଟି ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ
1 min read
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାର ପରେ ଭାରତ, ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପଙ୍କୁ ଧ୍ବଂସ କରିବା ସହ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରିଛି । ଏବେ ଅପରେସନ ସିନ୍ଦୂର ସ୍ଥଗିତ ରହିଥିଲେ ବି, ଯେ କୌଣସି ସମୟରେ ଭାରତର ଶିକାର ହେବା ଭୟରେ ପ୍ରମାଦ ଗଣୁଛନ୍ତି ଆତଙ୍କବାଦୀ । ଆଉ ଏମିତି ସ୍ଥିତିରେ ବହୁ ଆତଙ୍କବାଦୀ ପାକିସ୍ତାନ ସେନା ସହାୟତାରେ ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଛନ୍ତି । ହେଲେ ପାକିସ୍ତାନରେ ବି ଏବେ ସେମାନେ ସୁରକ୍ଷିତ ନୁହଁନ୍ତି । ଭାରତ ସମେତ ଅନ୍ୟ କିଛି ଲୋକ ବି ଅଛନ୍ତି, ଯେଉଁମାନେ ଏମାନଙ୍କୁ ଶିକାର କରିବାକୁ ଘାତ ଲଗାଇ ସୁଯୋଗକୁ ଅପେକ୍ଷା କରିଛନ୍ତି । ଏହି କ୍ରମରେ ଲସ୍କର-ଏ- ତୈୟବାର ଟପ୍ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ଗୁଳି ମାରି ହତ୍ୟା କରାଯାଇଛି । କେହି ଅଜ୍ଞାତ ବନ୍ଧୁକଧାରୀ ତାକୁ ଗୁଳି କରି ନିପାତ କରିଛି । ଦୀର୍ଘ ଦିନ ହେଲା ନେପାଳରେ ରହି ନିଜ ଆତଙ୍କବାଦୀ ନେଟଓ୍ବର୍କ ଚଲାଉଥିଲା । କିଛିଦିନ ହେବ ସିନ୍ଧ ପ୍ରଦେଶର ମତଲି ଓ ବଦିନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇଥିଲା ।
ସୂଚନାଯୋଗ୍ୟ, ଭାରତରେ ତିନୋଟି ବଡ଼ ଆକ୍ରମଣ ପଛରେ ଖଲିଦର ହାତ ଥିଲା । ୨୦୦୬ରେ ମହାରଷ୍ଟ୍ରର ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ଆକ୍ରମଣର ଷଡଯନ୍ତ୍ର ରଚିଥିଲା । ସେହିପରି ୨୦୦୧ରେ ରାମପୁରରେ ସିଆରପିଏଫ କ୍ୟାମ୍ପରେ ଆକ୍ରମଣ କରାଇଥିଲା । ଏହାସହ ବେଙ୍ଗାଲୁରୁରେ ୨୦୦୫ରେ ଆକ୍ରମଣ ପଛରେ ତା’ର ହାତ ଥିଲା ।
କିଏ ଏହି ସୈଫୁଲ୍ଲା ଖାଲିଦ ?
ଖାଲିଦ ଲସ୍କରର ଅପରେଟର ଥିଲା । ଭାରତରେ ଆକ୍ରମଣ କରାଇବାର କାମ ସେ ବୁଝୁଥିଲା । ଏହାପରେ ସେ ନେପାଳରେ ନିଜର ବେସ ବନାଇ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରାଉଥିଲା । ଏନେଇ ଭାରତର ଗୁଇନ୍ଦା ସଂସ୍ଥା ସୁରାକ ପାଇବା ପରେ ସେ ନେପାଳ ଛାଡ଼ି ପୁଣି ପାକିସ୍ତାନ ଚାଲି ଯାଇଥିଲା । ଭାରତର ଆତଙ୍କବାଦୀଙ୍କ ତାଲିକାରେ ମୋଷ୍ଟ ଓ୍ବାଣ୍ଟେଡ ଥିଲା ଖାଲିଦ । ଭାରତ ନଜରରୁ ବର୍ତ୍ତିବା ପାଇଁ ଭିନ୍ନ ଭିନ୍ନ ନାଁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲା । ନେପାଳରେ ବିନୋଦ କୁମାର ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଉଥିଲା ।