ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବିଷ ପିଇ ଦେଲେ ବାପା

1 min read

ନନ୍ଦିଘୋଷ ବ୍ୟୁରୋ: ଆଖି ଆଗରେ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବିଷ ପିଇ ଦେଲେ ବାପା । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାଗେନା ବାଲିଘାଟରେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ୩୨ ବର୍ଷୀୟ ରୁଦ୍ର ନାୟକ ।

ରୁଦ୍ରଙ୍କ ଘର ବାଲିଘାଟ ନିକଟସ୍ଥ ଖମାର ଗାଁରେ । ଆଜି ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବାଲିଘାଟରେ ପଡିଥିଲା । ଏହା ପରିବାର ଲୋକେ ଦେଖି ଥିଲେ । ରୁଦ୍ରଙ୍କ ବାପା ପୁଅର ମୃତଦେହ ଦେଖି ଅଧର୍ଯ୍ୟ ହୋଇ ପଡ଼ିଥିଲେ । ମାନସିକ ସ୍ଥିତି ହରାଇ ବିଷ ପିଇ ଦେଇଥିଲେ । କିଏ ଓ କାହିଁକି ରୁଦ୍ରଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି । ପରିବାର ଲୋକେ ବାଲିଘାଟରେ କାର୍ଯ୍ୟରତ ଜଣେ ଜେସିବି ଡ୍ରାଇଭର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି l

ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ଅଭିଯୁକ୍ତ ଜେସିବି ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ବାଲି କାରବାରକୁ ନେଇ ରୁଦ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ବାଲି କାରବାରକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା । ବାଲିଘାଟକୁ କେନ୍ଦ୍ର କରି ଢେଙ୍କାନାଳ ଜୟଗୋପାଳ ସାହିର ମହେଶ୍ୱର ବେହେରାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।