ପାକିସ୍ତାନ ଲିଙ୍କକୁ ନେଇ ଏମିତି କହିଲେ ପ୍ରିୟଙ୍କାଙ୍କ ବାପା

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ ଗୋପନରେ ତଥ୍ୟ ଦେଇଥିବା ସନ୍ଦେହରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଜ୍ୟୋତି ଗତ ବର୍ଷ ସେପ୍ଟେମ୍ବରରେ ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର ସମେତ ସମୁଦ୍ରକୂଳ ଆଦି ବିଭିନ୍ନ ସ୍ଥାନ ବୁଲିଥିବା ନଜରକୁ ଆସିଛି। ପୁରୀ ବୁଲିବା ନେଇ ଜ୍ୟୋତିଙ୍କୁ ପୁରୀର ପ୍ରିୟଙ୍କା ସେନାପତି ସହଯୋଗ କରିଥିବା କଥା ସାମନାକୁ ଆସିଛି। ଏପରିକି ପ୍ରିୟଙ୍କା ମଧ୍ୟ ପାକିସ୍ତାନ ଯାଇଥିବା ଚର୍ଚ୍ଚା ହେଉଛି। ଏ ନେଇ ପୁରୀ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି।

ପ୍ରିୟଙ୍କାଙ୍କ ଘର ପୁରୀ କାଳିକା ଦେବୀ ସାହିରେ ହୋଇଥିବା ବେଳେ, ସେ ମଧ୍ୟ ଜଣେ ୟୁଟ୍ୟୁବର। ଜ୍ୟୋତିଙ୍କ ସହ ତାଙ୍କର ପରିଚୟ ହୋଇଥିବା ବେଳେ, ସେ ତାଙ୍କୁ ପୁରୀ ଗସ୍ତରେ ସହଯୋଗ କରିଥିବା ଅଭିଯୋଗ ହୋଇଛି। ମାତ୍ର ପାକିସ୍ତାନ ସହ ଗୁଇନ୍ଦାଗିରି କଥା ସାମନାକୁ ଆସିବା ପରେ ପ୍ରିୟଙ୍କା ଆଶ୍ଚର୍ଯ୍ୟ ହୋଇଛନ୍ତି। ପ୍ରିୟଙ୍କାଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ, ସେ ପୋଲିସକୁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ଅନ୍ୟପଟେ ପାକିସ୍ତାନ ସହ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ବାପା। ପ୍ରିୟଙ୍କା ଜଣେ ୟୁଟ୍ୟୁବର ହୋଇଥିବା ବେଳେ, ଜ୍ୟୋତି ମାଲହୋତ୍ରାଙ୍କ ସହ ସାକ୍ଷାତ ହୋଇଥିଲା। ଜ୍ୟୋତି ପୁରୀ ଆସିଥିବା ବେଳେ ପ୍ରିୟଙ୍କାଙ୍କ ସହାୟତା ଲୋଡ଼ିଥିଲେ। ପ୍ରିୟଙ୍କା ଜ୍ୟୋତିଙ୍କୁ ସାଧାରଣ ଭାବେ ବୁଲାବୁଲିରେ ସହଯୋଗ କରିଥିଲା। ପ୍ରିୟଙ୍କା ମଧ୍ୟ ବ୍ଲଗ କରିବା ପାଇଁ ପାକିସ୍ତାନ କରତାରପୁର ଯାଇଥିଲେ। ତେବେ ମୋ ଝିଅ ପ୍ରିୟଙ୍କା ନିର୍ଦ୍ଦୋଷ ସହ ତଦନ୍ତରେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ବାପା।